Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ନାଗର ପ୍ରତିଶୋଧ…ମାରିଥିବା ଲୋକଙ୍କୁ ଚୋଟ : ଏବେବି ରହସ୍ୟମୟୀ ହୋଇ ରହିଛି ସେହି ଘଟଣା…

24/10/2020 at 2:00 PM

ଭୁବନେଶ୍ବର ୨୪।୧୦: ନାଗ ସାପ ପ୍ରତିଶୋଧ ନିଏ ବୋଲି ଲୋକକଥା ରହିଛି । ଆଜିକାର ବିଜ୍ଞାନ ଯୁଗରେ ଏହା ଅନ୍ଧବିଶ୍ୱାସ  ବୋଲି ଅନେକ କହିଥାନ୍ତି । କିନ୍ତୁ କେତେକ କ୍ଷେତ୍ର ସଂଯୋଗ କ୍ରମେ ଘଟିଲେ ଏହି କଥା ବିଶ୍ୱାସରେ ପରିଣତ ହୋଇଥାଏ । ପ୍ରାୟତଃ ଫିଲ୍ମରେ ନାଗ ଓ ନାଗୁଣୀ ବିଷୟରେ ଶୁଣିଥାଆନ୍ତି । କିନ୍ତୁ ଏମିତି ୨ ଟି ଘଟଣା ଭୁବନେଶ୍ୱରରେ ରହିଛି । ଯାହା ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ। ନାଗ ସାପକୁ ମୃତାହତ କରିଥିବା ୨ଜଣ ବ୍ୟକ୍ତି ରହସ୍ୟମୟ ଭାବେ ସାପ କାମୁଡ଼ାରେ ପ୍ରାଣତ୍ୟାଗ କରିଥିଲେ। ନାଗ ସାପ ପ୍ରତିଶୋଧ ନେଲା ବୋଲି ସେ ସମୟରେ ସାମାଜିକ ସ୍ତରରେ ବେଶ୍‌ କିଛି ଦିନ ଯାଏ ଚର୍ଚ୍ଚା ଲାଗି ରହିଥିଲା।

ତେବେ ଆସନ୍ତୁ ଜାଣିବା ସେହି ୨ଟି ଘଟଣାସଂପର୍କରେ…

୧୯୭୯ ମସିହାର କଥା । ଶ୍ରୀଲିଙ୍ଗରାଜ ମନ୍ଦିର ରୋଷଘରେ କୁଡ଼ୁଆ ଥାକ ହୋଇ ରହିଥିଲା । ଉକ୍ତ ଥାକରୁ କୁଡ଼ୁଆ ଉଠାଇବା ବେଳେ ଜଣେ ସେବାୟତ କୁଡ଼ୁଆ ସନ୍ଧିରେ ମେଞ୍ଚାଏ ସାପ ଛୁଆ ଏକାଠି ସଲବଲ ହେଉଥିବା ଦେଖିଥିଲେ । ସେ ସାପ ଛୁଆ ଗୁଡ଼ିକ ଦେଖି ଛାନିଆ ହୋଇଗଲେ । ବିକଳରେ ରୋଷଚୁଲିରୁ ଏକ ଲୁହା ଡଙ୍କିରେ ପୁଳାଏ ଜଳନ୍ତା ଅଙ୍ଗାର ଆଣି ଉକ୍ତ ସାପ ଛୁଆଙ୍କ ଉପରେ ଢାଳି ଦେଲେ । ସାପ ଛୁଆ ଗୁଡ଼ିକ ନିମିଷକ ମଧ୍ୟରେ ଅଙ୍ଗାର ରଡ଼ରେ ଜଳିଗଲେ। ଏହି ଘଟଣା ଘଟିବାର ୩ ଦିନ ପରେ ସଂପୃକ୍ତ ସେବାୟତ ବେଢ଼ାର ଉତ୍ତର ପଟ ଖାଲି ସ୍ଥାନରେ ଘାସ କାଟୁଥିଲେ। ଏହି ସମୟରେ ଘାସ ବଣ ଭିତରୁ ଏକ ବିରାଟ ନାଗ ବାହାରିଲା । ସେ କିଛି ବୁଝିବା ପୂର୍ବରୁ ତାଙ୍କ ହାତକୁ ଏକାଧିକ ଚୋଟ ମାରି ଘାସ ଭିତରେ ସର ସର ହୋଇ ପଳାଇଲା । ସେ ଚିତ୍କାର କରି ସେଇଠି ପଡ଼ିଗଲେ । ଅନ୍ୟ ସେବାୟତମାନେ ତାଙ୍କୁ ହସ୍ପିଟାଲ ନେଲା ପୂର୍ବରୁ ବିଷ ଜ୍ୱାଳାରେ ସଂପୃକ୍ତ ସେବାୟତଙ୍କ ଜୀବନ ଚାଲିଗଲା । ଏହି ଘଟଣା ପରେ ନାଗୁଣି ସାପ ଛୁଆ ମାରିବାର ପ୍ରତିଶୋଧ ନେଲା ବୋଲି ଲୋକେ କୁହାକୁହି ହେଲେ ।

ଏହି ଘଟଣା ଘଟିବାର ୪ ବର୍ଷ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟରେ ସାପ କାମୁଡ଼ା ଜନିତ ଆଉ ଏକ ଅଘଟଣ ଘଟିଲା । ସିଂହଦ୍ୱାର ବାମ ପଟ ରାସ୍ତା ଅପରପାଶ୍ୱର୍ରେ ରାଜଧାନୀର ସବୁଠୁ ପୁରୁଣା ବଜାର । ଏହି ବଜାରରେ ଜଣେ ସ୍ଥାନୀୟ ଲୋକ ଚା’ ଜଳଖିଆ ଦୋକାନ କରିଥିଲେ । ଦେବୀ ପାଦହରା ପୁଷ୍ପରିଣୀ ପଶ୍ଚିମ ହୁଡ଼ାକୁ ଲାଗିକରି ଥିବା ଏକ କୂଅ ନିକଟରେ ତାଙ୍କ ଜଳଖିଆ ଦୋକାନର କ୍ୟାବିନ ପଡ଼ିଥିଲା । ପ୍ରତି ଦିନ ରାତିରେ ଏହି କ୍ୟାବିନ ପାଖରେ ପଡ଼ିଥିବା ବିସ୍କୁଟ ଗୁଣ୍ଡ ଓ ଅନ୍ୟାନ୍ୟ ବର୍ଜ୍ୟ ଖାଦ୍ୟ ଖାଇବା ଲାଗି ବହୁ ସଂଖ୍ୟକ ମୂଷା ରୁଣ୍ଡ ହୁଅନ୍ତି । ସେହି ମୂଷାଙ୍କୁ ଖାଇବା ଲାଗି ଦେବୀ ପାଦହରା ପୋଖରୀ ପଥର ସନ୍ଧାରେ ରହୁଥିବା ଏକ ବିରାଟକାୟ ନାଗସାପ ରାତିରେ କ୍ୟାବିନକୁ ଆସେ । ରାତିରେ ଶିକାର କରିବା ପରେ ଦିନରେ ଖରା ପଡ଼ିବା ବେଳେ କ୍ୟାବିନ ତଳୁ ବାହାରି ପୁଣି ପୋଖରୀ ଆଡ଼କୁ ଯାଏ । ଦୋକାନୀ ସମେତ ଦୋକାନକୁ ଚା’ ଖାଇବାକୁ ଆସୁଥିବା ଲୋକେ ଉକ୍ତ ସାପକୁ ଦେଖନ୍ତି । ସାପ ନିର୍ଭୟରେ ଲୋକଙ୍କ ମେଳକୁ ଅତିକ୍ରମ କରି ଆତଯାତ ହୁଏ ।

ତେବେ ଉକ୍ତ ସାପ ଭୟରେ କାଳେ ଗ୍ରାହକଙ୍କ ସଂଖ୍ୟା କମିଯିବ, ଏହି ଆଶଙ୍କା ସଂପୃକ୍ତ ଦୋକାନୀଙ୍କ ମୁଣ୍ଡକୁ ଆସିଲା । ସାପକୁ ଘଉଡ଼ାଇବା ଲକ୍ଷ୍ୟରେ ଦିନେ ସେ ଚା’ ସସପ୍ୟାନ୍‌ରେ ଫୁଟନ୍ତା ପାଣିକୁ ସାପ ଉପରେ ପକାଇ ଦେଲେ । ସାପଟି ଛଟପଟ ହୋଇ ପଳାଇଲା । କିଛି ଦିନ ପର୍ଯ୍ୟନ୍ତ ଆଉ ଦେଖାଗଲା ନାହିଁ । ୧୫ ଦିନ ପରେ ଦିନେ ଭୋର ବେଳେ ସଂପୃକ୍ତ ଦୋକାନୀ ଦୋକାନ ଆଞ୍ଚ ଲଗାଉଛନ୍ତି, ଏତିକି ବେଳେ ତାଙ୍କ ଗୋଡ଼କୁ ନାଗ ଦଂଶିଲା । ଚିକିତ୍ସା ହେବା ପୂର୍ବରୁ ଅଧଘଣ୍ଟାଏ ମଧ୍ୟରେ ଦୋକାନୀଙ୍କ ପ୍ରାଣ ଚାଲିଗଲା । କେଉଁ ନାଗ ଦଂଶିଲା ତାହା ଜଣା ପଡ଼ିଲା ନାହିଁ । କିନ୍ତୁ ଫୁଟନ୍ତା ପାଣିରେ ଅଧାପୋଡ଼ା ହୋଇଯାଇଥିବା ସେହି ପୁରୁଣା ନାଗ ତାହାର ରାଗ ଶୁଝାଇଲା ବୋଲି ଲୋକେ ଆଲୋଚନା କଲେ । ଏହି ୨ଟି ଘଟଣା ପରେ ଲୋକଙ୍କର ନାଗ ସାପ ପ୍ରତି ଭୟ ଓ ସମ୍ମାନ ବଢ଼ିଗଲା । ଏବେ ବି ଶ୍ରୀଲିଙ୍ଗରାଜ ମନ୍ଦିରରେ ଅନେକ ନାଗସାପ ଅଛନ୍ତି । ସ୍ଥାନୀୟ ଲୋକେ ନାଗ ସାପ ଦେଖିଲା ମାତ୍ରେ ବାଟ ଛାଡ଼ି ଦିଅନ୍ତି ।

   Related Posts