RSPରେ ଗ୍ୟାସ୍ ଲିକ୍ ଘଟଣାରେ ୨ ଡିଜିଏମ୍ ନିଲମ୍ବିତ : ମୃତକଙ୍କ ପରିବାରକୁ ମିଳିବ ଅଢେଇ ଲକ୍ଷ ଟଙ୍କା, ଜଣଙ୍କୁ ଚାକିରୀ

Published By : Prameya-News7 Bureau | January 06, 2021 IST

ରାଉରକେଲା ୬।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । ଦୁର୍ଘଟଣା ପାଇଁ ଦୁଇ ଡେପୁଟି ଜେନେରାଲ ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ମ୍ୟାନେଜର ହେଲେ ଏଲର୍ଜି ମ୍ୟାନେଜମେଣ୍ଟ ବିଭାଗର ଜି. ବାରିକ ଏବଂ କୋଲ୍ କେମିକାଲ ବିଭାଗର ଡିଜିଏମ୍ ଏମ୍. ଦାସ । କର୍ତ୍ତବ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ନେଇ ଆରଏସପି ସିଇଓଙ୍କ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକସନ୍ ପକ୍ଷରୁ ପତ୍ୟେକ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି ଘୋଷଣା କରାଯାଇଛି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଆରଏସପି ପକ୍ଷରୁ ଘୋଷଣା କରାଯାଇଛି । ଘଟଣାର ତଦନ୍ତ ପାଇଁ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । କମିଟିରେ ତିନି ବିଭାଗ ମୁଖ୍ୟ ପରିଚାଳକ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଗୁରୁତର ଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବ୍ରହ୍ମାନନ୍ଦ ପଣ୍ଡା, ଅଭିମନ୍ୟୁ ଶାହା, ରବି ଶାହା ଏବଂ ଗଣେଶ ପାଇଲୋ । ସମସ୍ତେ ଷ୍ଟାର୍ କନଷ୍ଟ୍ରକସନ କମ୍ପାନୀର କର୍ମଚାରୀ । ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ଯୋଗୁଁ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.