ସୂଚନା ଫଳକକୁ ମାନୁ ନାହାନ୍ତି, କ୍ଷୀପ୍ର ଗତିରେ ଗାଡି ଚଳାଉଛନ୍ତି ଅମାନିଆ: ସଡକ ଦୁର୍ଘଟଣାରେ ଦୁଇଟି କୃଷ୍ଣସାର ମୃଗର ମୃତ୍ୟୁ
11/12/2020 at 9:41 PM

ଭଞ୍ଜନଗର ୧୧।୧୨: ସଡକ ଦୁର୍ଘଟଣାରେ ଦୁଇଟି କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ଆସିକା-କରସିଙ୍ଗି ରାଜ୍ୟ ରାଜପଥର ବାଙ୍କେଶ୍ୱରୀ ମନ୍ଦିର ଓ ପାଙ୍ଗିଡି ଗ୍ରାମ ମଧ୍ୟରେ ଭିନ୍ନ ଭିନ୍ନ ଦୁଇଟି ଦୁର୍ଘଟଣାରେ ଶୁକ୍ରବାର ଗୋଟିଏ ମାଈ କୃଷ୍ଣସାର ମୃଗ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଏକ ମାଇ କୃଷ୍ଣସାର ମୃଗ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଖୋଳଖାଳି ଓ ପାଙ୍ଗିଡି ମଧ୍ୟରେ ବହୁ କୃଷ୍ଣସାର ମୃଗ ବିଚରଣ କରୁଥିବା ବେଳେ ଖାଦ୍ୟ ପାଇଁ ଓ ପାଣି ପିଇବାକୁ ବହୁ ସମୟରେ ରାଜ୍ୟ ରାଜ୍ୟପଥକୁ ଅତିକ୍ରମ କରିଥାନ୍ତି। ବନ ବିଭାଗ ପକ୍ଷରୁ କୃଷ୍ଣସାର ମୃଗ ବିଚରଣ ସ୍ଥଳ ହୋଇଥିବା ଯୋଗୁଁ ଯାନ ବାହାନ ଧୀରେ ଚଳାଇବାକୁ ସଂକେତ ଥିଲେ ମଧ୍ୟ ବହୁ ଚାଳକ କ୍ଷୀପ୍ର ଗତିରେ ଗାଡି ଚାଳନା ଯୋଗୁଁ ଏହିପରି ଦୁର୍ଘଟଣା ଘଟି ଗଞ୍ଜାମର ଗୌରବ ଏହି କୃଷ୍ଣସାର ମୃଗ ମୃତ୍ୟୁ ବରଣ କରୁଛନ୍ତି।
ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ମାଈ କୃଷ୍ଣସାର ମୃଗକୁ ଗାଡି ଧକ୍କା ଦେବାଯୋଗୁଁ ବାମ ଆଗ ଗୋଡରେ ଗୁରୁତର ଆଘାତ ଲାଗି ରାସ୍ତାରେ ପଡିଥିବା ଖବର ପାଇ ବୁଗୁଡା ବନବିଭାଗ କର୍ମଚାରୀ ମୃଗକୁ ଉଦ୍ଧାର କରି ଚିକିତ୍ସା କରୁଥିବା ବେଳେ ମୃଗଟି ମୃତ୍ୟୁ ବରଣ କରିଥିଲା। ଅପରାହ୍ନରେ ପୁଣି ଖବର ଆସିଥିଲା ଯେ ପୂର୍ବ ଦୁର୍ଘଟଣା ସ୍ଥାନର ଅଳ୍ପ ଦୂରରେ ଅନ୍ୟ ଏକ ମାଈ କୃଷ୍ଣସାର ମୃଗ ଗାଡି ଧକ୍କାରେ ମୃତ୍ୟୁ ବରଣ କରିଛି। ମୃତ୍ୟୁ ବରଣ କରିଥିବା ମାଈ କୃଷ୍ଣସାର ମୃଗକୁ ବନବିଭାଗ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଥିଲେ। ଉଭୟ ମାଈ କୃଷ୍ଣସାର ମୃଗକୁ ପୋତି ଦେଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଉଭୟ ମୃଗର ବୟସ ଦେଢରୁ ଦୁଇ ବର୍ଷ ମଧ୍ୟରେ ହେବ ବୋଲି କହିଛନ୍ତି ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା।