ସୀମା ବିବାଦ ତୁଟୁନି: ଗୁଗଲ ମ୍ୟାପ୍‌ରେ ଗଫଲତି କରି ଓଡିଶା ଅଞ୍ଚଳରେ ଆଖି ପକାଉଛି ଆନ୍ଧ୍ର, ସମାଧାନର ଦୁଇ ଦିନ ପରେ ଓଡିଶା ଇଲାକାରେ ପତାକା ପୋତିଲେ ଆନ୍ଧ୍ର ଲୋକେ

Published By : Prameya-News7 Bureau | November 20, 2020 IST

କୋରାପୁଟ ୨୦।୧୧: ସୀମାରେ ବଢିବାରେ ଲାଗିଛି ଆନ୍ଧ୍ରର ଦାଦାଗିରି। ବାରମ୍ବାର ଖବର ପ୍ରସାରଣ ପରେ କୋରାପୁଟ ଜିଲ୍ଲା ପ୍ରଶାସନର ତତ୍ପରତା ସତ୍ଵେ ବି ସୀମାବର୍ତ୍ତୀ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଓଡିଶା ସରକାରଙ୍କ ହସ୍ତକ୍ଷେପ ପରେ ସମ୍ବାଇ ପଞ୍ଚାୟତରେ ରାସ୍ତା ଅବରୋଧ ହଟିବାର କେଇ ଘଣ୍ଟା ନଯାଉଣୁ ଆନ୍ଧ୍ର ଓଡିଶା ସୀମାନ୍ତ ସୁନାବେଡା ନିକଟ  ରାସ୍ତାରୁ ପଥର ହଟା ଯିବା ପରେ ପୁଣି ବାନା  ପୋତିଛନ୍ତି ଆନ୍ଧ୍ର ପ୍ରଦେଶର କିଛି ସୀମାନ୍ତ ଗ୍ରାମର ଅଧିବାସୀ। ପଥର ଗଦା କରି ଚିହ୍ନ ଦେବା ସହ ରାସ୍ତା ଉପରେ ଲେଖିଲେ ବି.ଆର. (ବର୍ଡର)। ଉଲ୍ଲେଖଯୋଗ୍ୟ ଯେ  ଗତ ୧୮ ତାରିଖରେ ଦୁଇ ରାଜ୍ୟର ଅଧିକାରୀ ମାନେ ଆଲୋଚନା ପରେ ରାସ୍ତାରୁ ପଥର ହଟା ଯାଇଥିଲା। ଗୁରୁବାର ଓଡିଶା ପକ୍ଷରୁ ରାଜସ୍ଵ ନୀରିକ୍ଷକମାନେ ସୀମା ଚିହ୍ନଟ ପାଇଁ ଯାଇଥିଲେ।  ଆଉ ଶୁକ୍ରବାର  ଆନ୍ଧ୍ର ସୀମାବର୍ତ୍ତୀ ଲୋକେ ପୁଣି ସୃଷ୍ଟି କରିଛନ୍ତି ବିବାଦ। ଏହାର  ସମାଧାନରେ ଯେତେ ବିଳମ୍ବ ହେଉଛି ସେତେ ବିବାଦ ବୃଦ୍ଧି ପାଉଛି।

ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଅଡ଼ୁଆ ତୁଟିନି । ଗୁଗୁଲ ମ୍ୟାପରେ ଗଫଲତି କରି ଓଡ଼ିଶାର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର । କୋରାପୁଟ ପଟାଙ୍ଗିର ଗାଲିବଦର ଗାଁକୁ ଆନ୍ଧ୍ର ଏଭଳି ଷଡ଼ଯନ୍ତ୍ର କରି ହାତେଇବା ଚକ୍କରରେ ଥିବା ବେଳେ ଏହା ବିରୋଧରେ ସ୍ବର ଉଠିଲାଣି । ଏପଟେ ଗୁଗୁଲ୍ ମ୍ୟାପ ଉପରେ ବିଚାର କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ସମ୍ବାଇରେ କଳ,ବଳ, କୌଶଳ ପରେ ଏବେ ଟେକ୍ନୋଲୋଜି ସାହାରରେ ଓଡ଼ିଶାର ଜାଗା ହାତେଇବାକୁ ଟାର୍ଗେଟ୍ କରୁଛନ୍ତି ଜଗନ ସରକାର । ଗୁଗୁଲ୍ ମ୍ୟାପ୍ ଦେଖାଇ ଗୋଟେ ପରେ ଗୋଟେ ଏରିଆରେ ହାତେଇବାକୁ ଫନ୍ଦି କଲାଣି ଆନ୍ଧ୍ର ।କୋଟିଆ, ନାରାୟଣପାଟଣା ଓ ସମ୍ବାଇ ପରେ  ଓଡିଶାର ପଟାଙ୍ଗି ବ୍ଲକର ଗାଲିଗବଦର  ଜଳପ୍ରପାତ  ଓ ଗାଲିଗବଦର ଗ୍ରାମକୁ ଆଖେଇଛି ? ଗୁଗୁଲ୍ ମ୍ୟାପରେ ଗାଲିଗବଦର ଓ ଆଖ ପାଖର ଅନେକ ଗ୍ରାମ ଆନ୍ଧ୍ରର ବୋଲି ଦର୍ଶାଯାଇଛି । ଯାହାକୁ କୋରାପୁଟର ବୁଦ୍ଧିଜୀବୀ ଦୃଢ଼ ବିରୋଧ କରିଛନ୍ତି । ଆନ୍ଧ୍ରର ବିସ୍ତାରବାଦୀ ଷଡ଼ଯନ୍ତ୍ରକୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି ।

ଏପଟେ ଗୁଗୁଲ ମ୍ୟାପ୍ ପ୍ରସଙ୍ଗରେ ବିଚାର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ସେହିପରି ଉଭୟ ରାଜ୍ୟର ସ୍ଥାନୀୟ ଜିଳ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି। ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି ସୁଦାମ । ବିଜେପି ଓ କଂଗ୍ରେସ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଆନ୍ଧ୍ରର ଅନୁପ୍ରବେଶ ଉପରେ ଲଗାତର ଭାବେ ଖବର ପରିବେଷଣ କରିଚାଲିଛି ନ୍ୟୁଜ୍ ସେଭେନ୍ । ନବମ ଦିନ ପରେ ପ୍ରଶାସନ ଚେତିବା ସହ ସମ୍ବାଇରୁ ରାସ୍ତା ଅବରୋଧ ହଟିଥିଲା । ଏବେ ଆନ୍ଧ୍ର ନୂଆ ଫନ୍ଦି ପାଞ୍ଚୁଥିବା ବେଳେ ସରକାର ଓ ପ୍ରଶାସନ ଶୀଘ୍ର ଏହାର ସମାଧାନ କରିବେ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.