ମା'ର ଜୀବନ ବଞ୍ଚାଇବାକୁ ବାପାକୁ ହତ୍ୟା: ନିଶାସକ୍ତ ପିତାଙ୍କୁ କୁରାଢୀରେ ହାଣିଦେଲେ ୨ ନାବାଳିକା ଝିଅ

Published By : Prameya-News7 Bureau | July 01, 2021 IST

ରାଜନାନ୍ଦଗାଓଁ ୧।୭: ବାପାକୁ କୁରାଢୀରେ ହାଣିଦେଲେ ଦୁଇ ନାବାଳିକା ଝିଅ । ନିଶାସକ୍ତ ଅବସ୍ଥାରେ ବାପା ଦେଉଥିଲେ ନିର୍ଯାତନା । ଏମିତି ନିର୍ଯାତନା ସହି ନପାରି ଦୁଇ ଝିଅ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ ରାଜନାନ୍ଦଗାଓଁ ଜିଲ୍ଲା ଅମ୍ବାଗଡ ଥାନା ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ନାବାଳିକାଙ୍କୁ ପଚରାଉଚରା ପାଇଁ ନେଇଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ବାପା ସହଦେବ ନେତାମ ନିଶାସକ୍ତ ଅବସ୍ଥାରେ ଆସି ପତ୍ନୀଙ୍କୁ ପିଟିବା ସହ ଦୁଇ ଝିଅଙ୍କୁ ନିର୍ଯାତନା ଦେଉଥିଲା । ଏଥିରେ ଅତିଷ୍ଠ ହୋଇ ଦୁଇ ନାବାଳିକା ଝିଅ କୁରାଢୀ ସାହାଯ୍ୟରେ ତାଙ୍କୁ ହତ୍ୟା କରିଛନ୍ତି ।

ବୁଧବାର ଦିନ ସହଦେବ ନିଶାସକ୍ତ ଅବସ୍ଥାରେ ଝଗଡା କରିଥିଲେ । ଏହି ଝଗଡା ଏତେ ଭୟଙ୍କର ହୋଇଥିଲା ଯେ, ପତ୍ନୀଙ୍କୁ ସହଦେବ କୁରାଢୀରେ ଆକ୍ରମଣ କରିଥିଲେ। ମା’ଙ୍କ ଜୀବନ ବିପଦରେ ଥିବା ଦେଖି ଦୁଇ ଝିଅ ବାପାଙ୍କଠାରୁ କୁରାଢୀ ଛଡାଇ ନେଇ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସହଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରି ଥାନାକୁ ନେଇଛି ।  ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.