ମା’ ଦୁଇ ବର୍ଷ ତଳେ ଯାଇଥିଲା ଏବେ ଚାଲିଗଲା ବାପ, କେମିତି ବଞ୍ଚିବେ ଦୁଇ ଅବୋଧ ଶିଶୁ ? ପ୍ରଶାସନ ଅଧିକାରୀଙ୍କ ପ୍ରତିଶୃତି ଅନିଶ୍ଚିତ

Published By : Prameya-News7 Bureau | August 07, 2020 IST

ତେଲକୋଇ ୭।୮: ଦଇବ ଛଡାଇ ନେଲା ମା-ବାପାଙ୍କ ସ୍ନେହ । ଜୀବନକୁ ବୁଝିବା ଆଗରୁ ଦୁଃଖ ଓ ଭୋକରେ ନିରବୀ ଯାଇଛନ୍ତି ଦୁଇ ଅବୋଧ ଶିଶୁ । ଭଙ୍ଗା ଦଦରା ଚାଳଘର, ଦୁଇ ଚାରିଖଣ୍ଡ ରଶ ଥାଳି, ତାଟିଆ, କଂସା, ଛିଣ୍ଡା କନ୍ଥା ଆଉ ଗୋଟେ ଦୁଇଟା ଦଦରା ପ୍ୟାଣ୍ଟ । ଏଇ ସେମାନଙ୍କ ସମ୍ପତ୍ତି । ମିଳିଲେ ଖାଇଲେ ନମିଳିଲେ ଶୋଇପଡିଲେ । ବିନା ଦୋଷରେ ଏପରି ଦାରୁଣ କଷ୍ଟ ଭୋଗୁଛନ୍ତି ଦୁଇ କୁନି ଭାଇ । ଜଣଙ୍କୁ ୮ ବର୍ଷ ଆଉ ଜଣଙ୍କୁ ୫ । କେନ୍ଦୁଝର ଜିଲ୍ଲା ତେଲକୋଇ କରଦାଙ୍ଗି ଗାଁ କଲଝରି ସାହିର ଏହି ଦୁଇ ଶିଶୁଙ୍କ ଅବସ୍ଥା ଦେଖିଲେ ସହି ହେବନି ।

{"id":311155,"sizeSlug":"large"}

ବାପା ଓ ମା’ଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡିଛନ୍ତି ଏହି ଦୁଇ ଆଦିବାସୀ ଶିଶୁ । ଫୁଙ୍ଗୁଳା ଦେହରେ ଗାଁ ଦାଣ୍ଡରେ ବୁଲୁଛନ୍ତି । ବାପା-ମା’ ଚାଲିଗଲା ପରେ କଅଁଳ ବୟସର କୁନି କୁନି ଦୁଇ ଭାଇଙ୍କୁ ଆହା ପଦେ କହିବାକୁ କେହିନାହିଁ । ପଡିଶା ଲୋକ ଖାଇବାକୁ ଗଣ୍ଡେ ଦେଲେ ଖାଉଛନ୍ତି ନହେଲେ ଉପାସରେ ଶୋଇ ପଡୁଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କରଦାଙ୍ଗି ଗାଁ କଲଝରି ସାହିର ସ୍ବର୍ଗତ ରୀନା ମୁଣ୍ଡା ଓ ତପନ ମୁଣ୍ଡାଙ୍କ ଦୁଇ ପୁଅ ଜୀବନ ଓ ଜୟନ୍ତ ।

{"id":311157,"sizeSlug":"large"}

ଜୀବନ ମୁଣ୍ଡା ଓ ଜୟନ୍ତ ମୁଣ୍ଡାଙ୍କ ବୟସ ଯଥାକ୍ରମେ ୮ବର୍ଷ ଓ ୫ ବର୍ଷ । ଦୁଇବର୍ଷ ତଳେ ମା’ ରୀନା ମୁଣ୍ଡାଙ୍କର କୌଣସି କାରଣରୁ ଅପମୃତ୍ୟୁ ଘଟିଥିବା ବେଳେ ଗତ ୧୦ ଦିନ ତଳେ ଟିବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ବାପା ତପନ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି । ବାପା-ମା’ଙ୍କ ମୃତ୍ୟୁ ପରେ ଏବେ ଅସହାୟ ହୋଇ ପଡିଛନ୍ତି ଦୁଇ ଶିଶୁ । ପରିବାରରେ ଅନ୍ୟ କେହି ନଥିବାରୁ ସାହି ଲୋକଙ୍କ ସହାୟତାକୁ ଅନାଇ ବସିଛନ୍ତି ଦୁଇ ଅନାଥ ଜୀବନ ଓ ଜୟନ୍ତ ।

{"id":311158,"sizeSlug":"large"}

ବାପା-ମା’ ଚାଲିଗଲା ପରେ ଭଙ୍ଗା ଚାଳିଆରେ ଏକା ଏକା ରହୁଛନ୍ତି ଦୁଇଶିଶୁ । ଦୟା ପରବସ ହୋଇ ସାହି ଲୋକ ଖାଇବାକୁ ଦେଲେ ନିଜର ଭୋକ ମେଣ୍ଟାଉଛନ୍ତି ସେମାନେ । ପିନ୍ଧିବାକୁ ସାର୍ଟ ଖଣ୍ଡେ ମଧ୍ୟ ନାହିଁ । ପାଠପଢା କଥା ପଚାରେ କିଏ । ଦୁଇ ଶିଶୁଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ଉପଯୁକ୍ତ ଥଇଥାନ ପାଇଁ ସାହିଲୋକେ ଦାବି କରିଛନ୍ତି । ତେବେ ଦୁଇ ଶିଶୁଙ୍କୁ କରୋନା କଟକଣା ପରେ ଥଇଥାନ କରାଯିବ ବୋଲି ତେଲକୋଇ ବିଡ଼ିଓ କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଏ କରୋନା କଟକଣା କେବେ ସରିବ ତାର ଠୋସ୍ ଉତ୍ତର କାହା ପାଖରେ ନାହିଁ । ସେ ପର୍ଯ୍ୟନ୍ତ ଛୁଆ ଦୁଇଟି କିପରି ରହିବେ, ସେମାନଙ୍କ ଦାୟିତ୍ବ କିଏ ନେବ ? ନିରାପଦ, ସୁରକ୍ଷିତ ରହିବେ ତ ଦୁଇ ଶିଶୁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.