କଳାହାଣ୍ଡିରେ ଦୁଇ ଶିଶୁ କରୋନା ସଂକ୍ରମିତ, ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ବାପାଙ୍କ ସଂସ୍ପର୍ଶରେ ଆସିଥିଲେ
5/06/2020 at 1:16 PM

କଳାହାଣ୍ଡି ୫।୬: ରାଜ୍ୟରେ ଆଜି ମୋଟ୍ ୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ୩ ଜଣ ରହିଛନ୍ତି । ୩ ଜଣ ସଂକ୍ରମିତଙ୍କ ମଧ୍ୟରେ ଦୁଇ ଶିଶୁ ଅଛନ୍ତି । ୫ ମାସର ଓ ୨ ବର୍ଷର ଶିଶୁ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ସଂକ୍ରମିତ ଦୁଇ ଶିଶୁଙ୍କ ବାପା ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଆସି ହୋମ୍ କ୍ବାରେଣ୍ଟାଇନରେ ଥିବାବେଳେ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଅନ୍ୟ ଜଣେ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ସେ ମହାରାଷ୍ଟ୍ରରୁ ଫେରିଥିଲେ । ଆକ୍ରାନ୍ତ ତିନି ଜଣ ଗୋଲାମୁଣ୍ଡା ବ୍ଲକର । ସେମାନଙ୍କୁ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୧୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।