Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଜୁରୀ ଟଙ୍କା ପାଇଁ ଭାଇକୁ ଚିହ୍ନିଲାନି ଭାଇ : ସାନ ବଡକୁ ହାଣିଲା, ବଡ ବି ଛାଡିଲାନି

1/09/2020 at 1:30 PM

ଯାଜପୁର ୧।: ମାତ୍ର ଦୁଇ ଶହ ଟଙ୍କା ପାଇଁ ସମ୍ପର୍କ ଓ ଜୀବନ ସବୁ ତୁଚ୍ଛା ପଡିଗଲା । ଭାଗ ଭାଣ୍ଟୁ ବାଣ୍ଟୁ ଜୀବନ ବାଣ୍ଟିଦେଲେ । ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଘଟଣାଟି ଥିଲା ଏପରି, ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଲାଗିଲା ଆଉ ତାହା ରକ୍ତାକ୍ତ ସଂଘର୍ଷରେ ପରିଣତ ହେଲା । ଆଉ ଶେଷ ହେଲା ଅତି ଭୟଙ୍କର । ଟଙ୍କାକୁ ନେଇ ଟାଙ୍ଗିଆରେ ହଣାହଣି ହୋଇଥିଲେ ଦୁଇ ଭାଇ । ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାରସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏହି ଅଭାବନୀୟ ଘଟଣା ।

ସବୁଦିନ ପରି ସୋମବାର ସକାଳୁ ଦୁଇ ଭାଇ ୫୦ ବର୍ଷ ବୟସ୍କ ନଣ୍ଡା ମାଙ୍କେଡିଆ ଓ ୪୬ ବର୍ଷ ବୟସ୍କ ରଶି ମାଙ୍କେଡିଆ କାମ କରିବାକୁ ଯାଇଥିଲେ । କାମ ସରିବା ପରେ ମାଲିକ ମଜୁରୀ ଟଙ୍କା ଦେବାବେଳେ ଖୁଚୁରା ନଥିବାରୁ ବଡଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇକୁ ଦେଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ପରେ ବଡଭାଇ ସାନ ଭାଇକୁ ଟଙ୍କା ମାଗିଥିଲେ । ହେଲେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବାବେଳେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ସାନଭାଇ ରଶି ହଠାତ୍‌ ଘରୁ ଏକ ଟାଙ୍ଗିଆ ଆଣି ବଡଭାଇ ନଣ୍ଡା ଉପରେ ଆକ୍ରମଣ କରିଥିଲା । ନଣ୍ଡା ମଧ୍ୟ ସେହି ଟାଙ୍ଗିଆ ଛଡାଇ ସାନଭାଇ ରଶି ଉପରେ ଆକ୍ରମଣ କରିଥିଲେ । ଫଳରେ ଉଭୟେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ବଡଭାଇ ନଣ୍ଡାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ସମୟରେ ସାନଭାଇ ରଶିର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପୂରା ପରିବାରରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

   Related Posts