ବୁଲିଯିବା କହି ପିଲାଙ୍କୁ ଧରି ଘରୁ ବାହାରିଥିଲେ, ଆପାର୍ଟମେଣ୍ଟରୁ ମିିଳିଲା ୪ ସନ୍ତାନଙ୍କ ସହ ଦୁଇ ଭାଇଙ୍କ ଝୁଲନ୍ତା ମୃତ ଦେହ

Published By : Prameya-News7 Bureau | June 19, 2020 IST

ଅହମ୍ମଦାବାଦ ୧୯।୦୬: ଗୁଜରାଟର ଅହମ୍ମଦାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଗୋଟିଏ ଘରୁ ୬ ଜଣଙ୍କ ଶବ ଉଦ୍ଧାର କରିଛି। ଆତ୍ମହତ୍ୟା ଆଶଙ୍କା ପ୍ରକାଶ କରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ୬ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣା ଅହମ୍ମଦାବାଦର ଭାଟଓ୍ଵା  ଅଞ୍ଚଳର। ମୃତକଙ୍କ ମଧ୍ୟରେ ଦୁଇ ଭାଇ ଏବଂ ସେମାନଙ୍କର ଚାରି ପିଲା ସାମିଲ। ପିଲାଙ୍କ ବୟସ ୭ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ଦୁଇ ଭାଇଙ୍କ ବୟସ ୪୦ ଓ ୪୨ ବର୍ଷ।

ସୂଚନା ଅନୁଯାୟୀ ଭିଞ୍ଜୋଲ ଅଞ୍ଚଳରେ ପ୍ରୟୋସା ଆପାର୍ଟମେଣ୍ଟରେ ଗୋଟିଏ ପରିବାରର ଛଅ ଜଣଙ୍କ ଶବ ଗୁରୁବାର  ମିଳିଛି। ମୃତକଙ୍କ ଚିହ୍ନଟ ଗୌରାଙ୍ଗ ପଟେଲ(୪୦) ଏବଂ ତାଙ୍କ ଭାଇ ଅମରିଶ ପଟେଲ(୪୨)ଙ୍କ ସହିତ ୪ ପିଲା ମୟୂର(୧୨), କୀର୍ତ୍ତି(୭), ଧ୍ରୁବ(୧୨) ଓ ସାନଭି(୭)ଙ୍କ ରୂପେ ହୋଇଛି। କୁହାଯାଉଛି ଯେ, ଦୁଇ ଭାଇ କପଡା ଦୋକାନରେ କାମ କରୁଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ଜୁନ୍ ୧୭ରେ ଦୁଇ ଭାଇ ପିଲାଙ୍କୁ କାରରେ  ବାହାରକୁ  ବୁଲାଇ ନେଇଥିଲେ। ଏହା ପରେ ସେମାନେ ସେହି ଅଞ୍ଚଳରେ ନିଜର ଆଉ ଏକ ଘରେ ପହଞ୍ଚିଥିଲେ। ଦୁଇ ଭାଇ ଉକ୍ତ ଫ୍ଲାଟକୁ ପ୍ରାୟ ଅଢେଇ ବର୍ଷ ପୂର୍ବେ ନେଇଥିଲେ। ଯେବେ ସେମାନେ ଦୀର୍ଘ ସମୟ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ପରିବାର ଲୋକ ଖୋଜି ଖୋଜି ପ୍ରୟୋସା ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ହେଲେ କବାଟ ଭିତର ଆଡୁ ବନ୍ଦ ଥିଲା। ଯେତେ ଡାକିଲେ କି କବାଟ ବାଡେଇଲେ ମଧ୍ୟ କେହି ଖୋଲିନଥିଲା। କିଛି ଅଘଟଣ ହୋଇଥିବା ଆଶଙ୍କା କରି ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ୍ ଖୋଲି ଦେଖିବାରୁ ଘର  ଭିତରେ ୬ ମୃତ ଶରୀରର ପଡି ରହିଛି।

ଡିସିପି ବିପିନ ଆହିରେଙ୍କ ଅନୁଯାୟୀ ଗୌରାଙ୍ଗ ପଟେଲ ଓ ତାଙ୍କ ଭାଇ ଅମରିଶ ପଟେଲଙ୍କ ଦୁଇଟି ଲେଖାଏଁ ପିଲା ରହିଛି। ଉଭୟଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଦୁଇ ଭାଇ ୧୭ ତାରିଖ ରାତିରେ ଚାରି ପିଲାଙ୍କୁ ବୁଲାଇ କଥା କହି ଘରୁ ବାହାରି ଥିଲେ। ତେବେଠୁ ସେମାନେ ନିଖୋଜ ଥିଲେ। ପରିବାର ଲୋକ ଫୋନ୍‌ କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ଉତ୍ତର ମିଳିନଥିଲା। ଏହା ପରେ ପରିବାର ଲୋକ ଜୁନ ୧୮ରେ ଯଶୋଦା ନଗରରେ ଥିବା ନିଜର ଅନ୍ୟ ପ୍ଲାଟକୁ ପହଞ୍ଚିଥିଲେ। କବାଟ ଯେତେ ବାଡେଇଲେ କି ଡାକିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା କି କବାଟ ମଧ୍ୟ ଖୋଲିନଥିଲା। କବାଟ ଖୋଲିବାକୁ ବହୁ ପ୍ରୟାସ କରିବା ପରେ ଶେଷରେ ପରିବାର ଲୋକ ଥାନା ଯାଇ ଏହାର ସୂଚନା ଦେଇଥିଲେ।

ସୂଚନା ମିଳିବା ପରେ ଫ୍ରାୟର ବ୍ରିଗେଡ୍‌ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଫ୍ଲାଟର କବାଟ ଭାଙ୍ଗି ପୋଲିସ୍ ଯେବେ ଭିତରକୁ ପଶିଲା ତ ସେମାନଙ୍କର ହୋସ୍‌ ଉଡି ଯାଇଥିଲା। ଦୁଇ ଭାଇଙ୍କ ଶବ ଫାଶୀରେ ଝୁଲୁଥିଲା। ଏହା ସହିତ ଚାରି ପିଲାଙ୍କ ଶବ ମଧ୍ୟ ପୋଲିସ୍ ଉଦ୍ଧାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.