ଗଳାଚିପି ହତ୍ୟାଉଦ୍ୟମ କରିବା ପରେ ଭଉଣୀ ମୁହଁରେ ଏସିଡ ଢାଳି କେନାଲକୁ ଫିଙ୍ଗିଲେ ଦୁଇ ଭାଇ

Published By : Prameya-News7 Bureau | May 10, 2019 IST

ବୁଲନ୍ଦସହର ୧୦।୫:  ଉତ୍ତରପ୍ରଦେଶ ଗ୍ରେଟର ନୋୟଡାରେ ଘଟିଛି ଲୋମହର୍ଷକ ଘଟଣା। ଦୁଇ ଭାଇ ନିଜ ଭଉଣୀକୁ ହତ୍ୟା କରିବା ପାଇଁ ଗଳା ଚିପିବା ପରେ ମୁହଁରେ ଏସିଡ ଢାଳି କେନାଲକୁ ଫିଙ୍ଗିଦେଇଥିବା ଜଣାପଡିଛି । କେନାଲରେ ଭାସିଯାଉଥିବା ଯୁବତୀଙ୍କୁ ଦେଖି କିଛି ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କେନାଲରୁ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଘଟଣା ଲୋକ ଲୋଚନକୁ ଆସିଛି । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଏବେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା  ସ୍ଥିର ରହିଛି ।  

ଗୁରୁବାର ମଧ୍ୟହ୍ନରେ କୋଟଗାଁ କେନାଲରେ ଜଣେ ଯୁବତୀ ଛଟପଟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ସେଠାରେ ୧୨ ଘଣ୍ଟା କାଳ ଯୁବତୀ ଛଟପଟହେବା ପରେ ଶୁକ୍ରବାର ତାଙ୍କର ଚେତା ଫେରିଛି। ତେବେ ସଚେତ ହେବା ପରେ ଯୁବତୀ ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ।

ପୀଡିତା ଜଣକ ବୁଲନ୍ଦସହର ଗୁଲାବଠୀ ରାମନଗରର ସଲମା ବୋଲି ପୋଲିସକୁ ପରିଚୟ ଦେଇଛି। ତାଙ୍କର ୨ ଭାଇ ତାଙ୍କୁ ଆଲିଗଡ ବୁଲାଇବାକୁ ଘରୁ ଡାକିଆଣିଥିଲେ। ତେବେ ବୁଧବାର ରାତିରେ ସେମାନେ ତାଙ୍କୁ କାରରେ ଆଣି ହତ୍ୟା କରିବା ପାଇଁ ପ୍ରଥମେ ଗଳା ଦବାଇବା ପରେ ମୁହଁରେ ଏସିଡ ଢାଳି କେନାଲକୁ ଫିଙ୍ଗି ଚାଲିଯାଇଥିଲେ। ଏସିଡ ପଡି ଯୁବତୀଙ୍କ ୨ ଆଖି ନଷ୍ଟ ହୋଇଯାଇଛି, ସାଙ୍ଗକୁ ମୁହଁ ମଧ୍ୟ ବିକୃତ ହୋଇଯାଇଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ଦୁଇ ଅଭିଯୁକ୍ତଙ୍କ ତଲାସ ଜାରି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.