ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ପଡିଲା ମହଙ୍ଗା, ଫାଇନ୍ ଗଣିଲେ ୨ ଅଟୋ ଡ୍ରାଇଭର
24/12/2020 at 5:32 PM

ଭଦ୍ରକ୨୪/୧୨: ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା। ଧରା ପଡିଲେ ମଦୁଆ ଡ୍ରାଇଭର ଏବଂ ଗଣିଲେ ଜରିମାନା। ଆଞ୍ଚଳିକ ପରିହନ ବିଭାଗ ଏହି ଜରିମାନା ଆଦାୟ କରିଛି। ରାତି ସମୟରେ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ କାବୁ କରିଥିଲା ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ରାନ୍ଦିଆ ନିକଟରେ ଗ୍ରାମାଞ୍ଚଳ ପୋଲିସ ଓ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଭାବେ ଚେକିଂ କାର୍ଯ୍ୟ ଜାରି ରଖିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ଏଥିସହ ବ୍ରେଥ ଆନାଲାଇଜରରେ ଡ୍ରାଇଭରଙ୍କର ଟେଷ୍ଟ କରାଯାଇଥିଲା।
ଟେଷ୍ଟ ପରେ ଡ୍ରାଇଭର ଜଣଙ୍କ ମଦ ପିଇଥିବା ଜଣାପଡିଥିଲା।ତା ସାଙ୍ଗକୁ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବା ସୂଚନା ମିଳିଥିଲା। ମଦ ପିଇ ଗାଡି ଚଳାଇବା ବାବଦକୁ ୧୦ ହଜାର ଏବଂ ବିନା ଲାଇସେନ୍ସ ବାବଦକୁ ୫ ହଜାର ଟଙ୍କା ଫାଇନ ଦେଇଥିଲେ।ସେହିପରି ଅନ୍ୟ ଜଣେ ଅଟୋ ଚାଳକ ବିନା ଲାଇସେନ୍ସ ସହ ମଦ ପିଇ ଗାଡି ଚଳାଉଥିଲେ। ତାଙ୍କୁ ମଧ୍ୟ ସମାନ ଜରିମାନା ଦେବାକୁ ପଡିଛି।