ଦୁଇ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଧରିଲା ପୋଲିସ, ଚଞ୍ଚକତା କରି ଏଟିଏମ୍‌ରୁ ଉଠାଉଥିଲେ ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | November 17, 2020 IST

ଖଲ୍ଲିକୋଟ ୧୭।୧୧: ଏଟିଏମରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ଦୁଇ ଅପରାଧୀ ଗିରଫ । ବିଭିନ୍ନ ଏଟିଏରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟୁଥିବା ଦୁଇ ଅପରାଧୀ ଗଞ୍ଜାମ ପୋଲିସ ହାତରେ ଧରାପଡିଛନ୍ତି । ସେମାନେ ପ୍ରାୟ ୧୯ଟି ଏଟିଏମ ଠକେଇ ମାମଲାରେ ଜଡିତ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୧୦ଟି ଏଟିଏମ୍ କାର୍ଡ, ଗୋଟିଏ ବାଇକ୍, ଗୋଟିଏ ସ୍କୁଟି ଏବଂ ୩ଟି ମୋବାଇଲ ଜବତ କରିଛି । ଏହାଛଡା ଏମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଓ ଗୋଟିଏ ସୁନା ମୁଦି ଜବତ ହୋଇଛି ।

ଗତ ସେପ୍ଟେମ୍ବର ମାସ ୨୫ ତାରିଖରେ ହଂସପୁର ଗ୍ରାମ ବଡସାହି ବାସିନ୍ଦା ନିତାଇ ପ୍ରଧାନ ବଡ଼ମାଧପୁର ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ପାଇଁ  ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିବାସୀ ସୀମାଞ୍ଚଳ ସାହୁ ଓରଫ ଚେରୁ ଚଞ୍ଚକତା କରି ନିତାଇଙ୍କ ଏଟିଏମ୍ କାର୍ଡଟି ବଦଳାଇ ଦେଇଥିଲେ । ପରେ ୭ ତାରିଖ ଦିନ ନିତାଇ ପୁଣି ଟଙ୍କା ବାହାର କରିବାବେଳେ ଟଙ୍କା ନ ବାହାରିବାରୁ ଛତ୍ରପୁର ସ୍ଥିତ ଷ୍ଟେଟବ୍ୟାଙ୍କରେ ଯୋଗାଯୋଗ କରି କାର୍ଡଟି ବଦଳି ଯାଇଥିବା ଏବଂ ତାଙ୍କ ଆକାଉଣ୍ଟରୁ ତାଙ୍କରି ଏଟିଏମ କାର୍ଡ ବ୍ୟବହାର କରି ୬ ଲକ୍ଷରୁ ଅଧିକ ଟଙ୍କା ବାହାର କରାଯାଇଥିବା ଜାଣିପାରିଥିଲେ । ଏନେଇ ନିତାଇ ଅକ୍ଟୋବର ମାସ ୧୦ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଗଂଜାମ ଏସପି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଚମlଖଣ୍ଡି ଥାନା ଅଧିକାରୀ ସୀତାଂସୁ ଶେଖର ମାନ୍ଧାତଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ ଜାରି ରଖିଥିଲେ । ଗଂଜାମ ପୋଲିସ ସାଇବର ସେଲର ସହାୟତାରେ ସୀମାଞ୍ଚଳକୁ ଠାବ କରିବା ପରେ ତାର ସହଯୋଗୀ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଗୋବର୍ଦ୍ଧନ ପାତ୍ରକୁ ସେ ରହୁଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ଫେଜ-୩ ଘରୁ ଗିରଫ କରିଛି । ଏହି ଦୁଇ ଜଣ ରାଜ୍ୟର ବିଭିନ୍ନ ଜ଼ିଲ୍ଲାର ବିଭିନ୍ନ ଏଟିଏମରେ ଏହିଭଳି ଲୋକଙ୍କୁ ସାହାଯ୍ୟ ବାହାନାରେ ଏଟିଏମ୍ କାର୍ଡ ଚେଞ୍ଜ କରି ଲକ୍ଷ ଲକ୍ଷ ଟଙ୍କା ଉଠାଣ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.