ସିନ୍ଧେକେଲାରେ ୯ବର୍ଷର ନାବାଳକ ମିଥୁନକୁ ଅଷ୍ଟମୀର ଅଧରାତିରେ ବଳି ଦିଆଯାଇଥିବା ସ୍ପଷ୍ଟ କଲା ପୋଲିସ, ୨ ସମ୍ପର୍କୀୟ ଗିରଫ

Published By : Prameya-News7 Bureau | October 20, 2018 IST

ଟିଟିଲାଗଡ ୨୦|୧୦: ଟିଟିଲାଗଡ଼ ସିନ୍ଧେକେଲାରେ ୯ବର୍ଷର ନାବାଳକ ମିଥୁନ ରଣାକୁ ଉନ୍ଦେର ନଦୀ ପଠାରେ ବଳି ଦିଆଯାଇଥିବା ସ୍ପଷ୍ଟ ହୋଇଛି । ଏଥି ସହ ସମଗ୍ର ଘଟଣାର ଗୁମର ଖୋଲିଛି । ସିନ୍ଧେକେଲା ପୋଲିସ ତଥା କାରୀ ବଳି ଦେଇଥିବା ଅଭିଯୁକ୍ତମାନଙ୍କୁ ଗିପଫ କରିବାପରେ ସମଗ୍ର ଘଟଣା ପଦାକୁ ଆସିଛି । ଅଭିଯୁକ୍ତ ମାନେ ସାଲେବରତ ଗାଁ ର କୁଞ୍ଜ ରଣା ଏବଂ ଶୋଭବନ ରଣା । ଏମାନେ ମୃତ ମିଥୁନର ମାମୁ ଏବଂ ଦାଦାପୁଅ ଭାଇ ବୋଲି ଜଣାପଡିଛି । ୧୫ ତାରିଖ ରାତିରେ ତନ୍ତ୍ର ସାଧନ ପାଇଁ ଅଭିଯୁକ୍ତମାନେ ମିଥୁନକୁ ନଦୀ ପଠାକୁ ନେଇ ପୂଜାର୍ଚନା କରିବା ପରେ ସେଠାରେ ବଳି ଦେଇଥିବା ପୋଲିସ କହିଛି । ବଳି ପାଇଁ ବ୍ୟବହାର ହୋଇଥିବା ରକ୍ତଭିଜା ଚାକୁ ପୋଲିସ ଜବତ କରିବା ପରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ଲାଗି ସହଜ ହୋଇଥିଲା । ଅଷ୍ଟମୀ ରାତିରେ ମିଥୁନକୁ ହତ୍ୟା କରାଯାଇଥିବାରୁ ଏହା ଏକ ବଳି ଘଟଣା ବୋଲି ପ୍ରଥମରୁ ସଂଦେହ କରାଯାଉଥିଲା । ସୂଚନାଯୋଗ୍ୟଯେ, ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ରେ ଗତ ୧୩ତାରିଖ ରୁ ସିନ୍ଧେକେଲା ଗାଁର ହିରା ରଣାଙ୍କ ପୁଅ ମିଥୁନ ରଣା ନିଖୋଜ ଥିବା ପରିବାର ଲୋକେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ମିଥୁନ ଗାଁରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ପୋଲିସକୁ କହିଥିଲେ । ଏପଟେ ମିଥୁନକୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ମିଥୁନକୁ ପାଇ ନଥିଲେ । ମିଥୁନକୁ ହୁଏତ କେହି ଅପହରଣ କରିନେଇଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା । ଅପହରଣର ତିନିଦିନ ପରେ ୧୬ତାରିଖ ଦିନ ସକାଳୁ ସିନ୍ଧେକେଲା ଥାନା ଅଧିନସ୍ଥ ଗନ୍ଧରା ଗାଁ ଦେଇ ଯାଇ ଥିବା ଇନଦେର ନଦୀ କୁଳରେ ମିଥୁନର  ମୁଣ୍ଡ ବିହୀନ ଶବ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଆଉକିଛି ଦୂରରୁ କଟା ମୁଣ୍ଡ ମଧ୍ୟ ବାଲିରେ ଅଧା ପୋତି ହୋଇରହିଥିବା ପୋଲିସ ପାଇଥିଲା । ଏହାକୁ ନେଇ  ଗାଁ ରେ ଚାପା ଉତ୍ତେଜନା ଦେଖା ଦେବା ସହ ମିଥୁନ କୁ ବଳି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା । ତେବେ ବାସ୍ତବରେ ମିଥୁନକୁ ତଣ୍ଟି କାଟି ବଳି ଦିଆଯାଇଛି ନା ନାହିଁ ସେ ନେଇ କୌଣସି ସଠିକ ଖବର ଜଣାପଡିନଥିଲା । ନଅ  ବର୍ଷ ର ବାଳକ ମିଥୁନ ରଣା ସିନ୍ଧେକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.