ଝାରସୁଗୁଡା ୫|୧: ଝାରସୁଗୁଡାର ଜଣେ ନାବାଳିକାଙ୍କୁ ହରିଆଣାର ଭିବାନୀରେ ବିକ୍ରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଝିଅର ବଡବାପା ଟଙ୍କଧର ବାଗ୍ଙ୍କ ସହ ଦଲାଲ ଅଜୟ ବଂଜାରକୁ ପୋଲିସ ଗିରଫ କରିଛି । ଗତ ୬ମାସ ତଳେ ନାବାଳିକାକୁ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା ।
ସୂଚନା ଅନୁସାରେ ଝାରସୁଗୁଡାରରେ ନାବାଳିକାଙ୍କ ଘର । ନାବାଳିକାଙ୍କ ମାଙ୍କର ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ବାପା ତାଙ୍କୁ ବଡବାପା ପାଖରେ ଛାଡିଥିଲେ । ବଡବାପା ଟଙ୍କଧର ବାଗ୍ଙ୍କ ଘର ବ୍ରଜରାଜନଗରରେ । ସେ ଝାରସୁଗୁଡାରେ ରହୁଥିଲେ । ସେଠାରେ ସଂପୃକ୍ତ ନାବାଳିକା ଝିଅ ମଧ୍ୟ ରହୁଥିଲେ । ଝିଅଟି ତା ବାପାଙ୍କ ପାଖରେ ରହୁନଥିବାରୁ ଟଙ୍କଧର କିଛି ଅର୍ଥ ପାଇବା ଲୋଭରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଦଲାଲ ଅଜୟ ବଂଜାରଙ୍କ ସହ ମଧ୍ୟପ୍ରଦେଶ କଟନୀର ଜଣେ ଦଲାଲଙ୍କ ସହ ମିଶି ଭିବାନୀରେ ବିକ୍ରି କରିଥିଲେ । ଜଣେ ବ୍ୟକ୍ତି ଏବଂ ତାଙ୍କ ମାଙ୍କୁ ୨ଲକ୍ଷ ଟଙ୍କା ନେଇ ନାବାଳିକାକୁ ବିକ୍ରି କରିଦେଇଥିଲେ ।
ନାବାଳିକାଙ୍କ ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଜବରଦସ୍ତି ଏକ ମନ୍ଦିରରରେ ବିବାହ କରିଥିଲେ । ଝିଅଟିକୁ ନଜରବନ୍ଦୀ କରି ରଖିଥିଲେ । ୨ମାସ ହେବ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଉଥିଲେ । ନାବାଳିକା ଜଣଙ୍କ ୨ମହଲା ଛାତରୁ ଡେଇଁ ପଡିବାରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଫଳରେ ପଡୋଶୀମାନେ ଏ ବିଷୟରେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ଘଟଣାରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ମାଙ୍କୁ ଗିରଫ କରିଥିଲା ।
ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ପ୍ରଶାସନ ଦୁଇଟି ପୃଥକ ପୃଥକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୋଟିଏ ଟିମ୍ ହରିଆଣା ଭିବାନୀ ଯାଇଥିବାବେଳେ ଆନ୍ୟ ଟିମ୍ ମଧ୍ୟପ୍ରଦେଶ କଟନୀକୁ ଯାଇଛି ।