ସୋସାଲ ମିଡିଆରେ ସେନା ଜବାନଙ୍କୁ ନିସ୍ତୁକ ମାଡମାରିବା ଦୃଶ୍ୟ ଭାଇରାଲ, ୭ ରେଷ୍ଟୁରାଣ୍ଟ କର୍ମଚାରୀ ଗିରଫ

Published By : Prameya-News7 Bureau | June 02, 2019 IST

ଉତ୍ତରପ୍ରଦେଶ ବାଗପତରେ ସେନାର ୨ ଜଣ ଜବାନଙ୍କୁ ରେଷ୍ଟୁରାଣ୍ଟ କର୍ମଚାରୀ ମାଡ ମାରୁଥିବା ଦୃଶ୍ୟ ସୋସାଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି । ମାମଲାରେ ପୋଲିସ ରେଷ୍ଟୁରାଣ୍ଟର ୭ ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ପଚରା ଉଚରା କରାଯାଉଛି। ଭରା ବଜାରରେ କିଛି ଲୋକ ୨ ଜଣ ସେନା କର୍ମଚାରୀଙ୍କୁ ମାଡ ମାରୁଥିବା ଦୃଷ୍ୟ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା।  ୭ରୁ ୮ ଜଣ ଲୋକ ଲାଠି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ସେମାନଙ୍କୁ ନିସ୍ତୁକ ମାଡ ମାରୁଥିବା ଦେଖାଯାଇଥିଲା।

ମାମଲାର ପ୍ରାଥମିକ ଯାଞ୍ଚରେ ପୋଲିସ ରେଷ୍ଟୁରାଣ୍ଟ ମାଲିକଙ୍କୁ ମୁଖ୍ୟ ଅଭିଯୁକ୍ତ କରିଥିବା ବେଳେ ତାଙ୍କ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ସେନା ଜବାନମାନଙ୍କ ସହ ରେଷ୍ଟୁରାଣ୍ଟ କର୍ମଚାରୀଙ୍କର କୌଣସି ଝଗଡା ନଥିଲା। ଜବାନ ୨ ଜଣ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ବେଳେ ଅନ୍ୟ ଜଣେ ଗ୍ରାହକଙ୍କ ସହ ସେମାନଙ୍କର ପାଟି ତୁଣ୍ଡ ହୋଇଥିଲା। ତେବେ ଗ୍ରାହକଙ୍କ ସପକ୍ଷରେ ବାହାରି ରେଷ୍ଟୁରାଣ୍ଟ କର୍ମଚାରୀମାନେ ଜବାନମାନଙ୍କୁ ମାଡ ମାରିଥିଲେ।

ରେଷ୍ଟୁରାଣ୍ଟର କର୍ମଚାରୀମାନେ ଜଣେ ଜବାନଙ୍କୁ ମାଡ ମାରୁଥିଲେ। ତେବେ ଅନ୍ୟ ଜବାନ ଜଣକ ସାଥୀ ଜବାନଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି। ତେବେ ପୋଲିସ ମାମଲାକୁ ଗରୁତ୍ବର ସହ ଗ୍ରହଣ କରିଥିବା ବେଳେ ଗିରଫ କର୍ମଚାରୀ ଓ ହୋଟେଲ ମାଲିକଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.