ମୁଣ୍ଡରେ ବନ୍ଧୁକ ଲଗାଇ ଦାଦାବଟି ମାଗିବା ଘଟଣା : ୨ ଅଭିଯୁକ୍ତ ଗିରଫ, କିନ୍ତୁ ବନ୍ଧୁକର ଟେର୍‌ ନାହିଁ

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୦୯।୦୬ : ଦାଦାବଟି ପାଇଁ ଅଧାରାତିରେ ଟାଟା ଏସିଇ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ମାମଲାରେ ତମାଣ୍ଡୋ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ତମାଣ୍ଡୋର କାହ୍ନା ବେହେରା (୨୨) ଓ ମୁନା ସେଠୀ (୨୩) । ଉଭୟଙ୍କ ଠାରୁ ପୁଲିସ ଏକ ବାଇକ୍‌ ଜବତ କରିଛି । ହେଲେ ବନ୍ଧୁକ ଜବତ କରିପାରି ନାହିଁ । ଆଜି କାହ୍ନା ଓ ମୁନାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ ସୂଚନା ଅନୁଯାୟୀ, ତମାଣ୍ଡୋ ଗ୍ରାମର ପ୍ରଦୀପ କୁମାର ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଟାଟା ଏସିଇ ନେଇ ଭୁବନେଶ୍ୱରରୁ ଫେରୁଥିଲେ । ତମାଣ୍ଡୋ ବଜାର ନିକଟ ପାଟ୍ଟଶାଣୀ ଢାବା ସମ୍ମୁଖରେ ସେ ପହଞ୍ଚିଥିବା ବେଳେ ଏକ ବାଇକ୍‌ରେ କାହ୍ନା ଓ ମୁନା ପହଞ୍ଚି ତାଙ୍କୁ ଅଟକାଇ ଥିଲେ । ପାଖରେ କେତେ ଟଙ୍କା ରଖିଛୁ ଦେଇଦେ ବୋଲି କହିଥିଲେ । ପ୍ରଦୀପ ମନା କରିବାରୁ କାହ୍ନା ଅଣ୍ଟାରେ ଖୋସିଥିବା ବନ୍ଧୁକ ବାହାର କରି ନ ଦେଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ । ଭୟଭୀତ ହୋଇ ପ୍ରଦୀପ ଦ୍ରୁତ ଗତିରେ ଗାଡ଼ି ଚଳାଇ ସେଠାରୁ ପଳାଇ ଯାଇଥିଲେ । ଗତକାଲି ସକାଳେ ଏନେଇ ପ୍ରଦୀପ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ଥିଲା । ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କାହ୍ନା ଓ ମୁନାଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ବାଇକ୍‌କୁ ଜବତ କରିଥିଲା ।

ସୂଚନା ଥାଉ କି, ତମାଣ୍ଡୋରେ ୨୦୧୭ ମାର୍ଚ୍ଚରେ ପ୍ରଦୀପଙ୍କ ପୁତୁରା ଅଭିଜିତ ବେହେରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଉକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ କାହ୍ନା ଗିରଫ ହୋଇ ଜେଲ୍‌ ଯାଇଥିଲେ । ଜାମିନରେ ଆସିବା ପରେ ସେ ପୁଣି ବନ୍ଧୁକ ଧରି ଆତଙ୍କ ଖେଳାଉ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.