ଭାରତର ଭୁଲ ମାନଚିତ୍ର ଦେଖାଇଲା ଟ୍ବିଟର, ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦର୍ଶାଇଲା ଅଲଗା ଦେଶ : ହେବ କଠୋର କାର୍ଯ୍ୟାନୁଷ୍ଠାନ !

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/ ୦୬ : ଭାରତ ସରକାର ଏବଂ ଟ୍ବିଟର ମଧ୍ୟରେ ଜାରି ରହିଥିବା ବିବାଦ ଏବେ କମ ହେବା ବଦଳ​‌ରେ ବୃଦ୍ଧି ପାଇବରେ ଲାଗିଛି । ପୁଣି ଥରେ ଦେଖିବାକୁ ମିଳିଛି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟରର ମନମାନୀ । ଭାରତର ନକ୍ସାକୁ ନେଇ ବିବାଦୀୟ ପୋଷ୍ଟ ସେୟାର କରିଛି ଟ୍ବିଟର । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ, ଟ୍ବିଟର ନିଜ ଓ୍ବେବସାଇଟ୍‌ରେ ଭାରତର ଯେଉଁ ନକ୍ସା ଦେଖାଇଛି ସେଥିରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଅନ୍ୟ ଦେଶର ବୋଲି କହିଛି । ଟ୍ବିଟର ତାର ଓ୍ବେବସାଇଟ୍‌ରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଭିନ୍ନ ଭିନ୍ନ ଦେଶର ବୋଲି କହିଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଟ୍ବିଟରର କ୍ୟାରିୟର ପେଜ୍‌ ଟ୍ବିପ୍‌ ଲାଇଫ୍‌ ସେକ୍ସନରେ ବିଶ୍ବ ମାନଚିତ୍ର ରହିଛି । ସେଠାରେ ସାରା ବିଶ୍ବରେ ଥିବା ଟ୍ବିଟର ଟିମ ବିଷୟରେ ଅବଗତ କରାଯାଇଥାଏ । ସେହି ମାନଚିତ୍ରରେ ଭାରତ ମଧ୍ୟ ରହିଛି କିନ୍ତୁ ଭାରତର ନକ୍ସା ବିବାଦୀୟ ଭାବେ ପ୍ରଦର୍ଶିତ ହୋଇଛି ।

Image

ଏହା ପୂର୍ବରୁ ମଧ୍ୟ ଲଦାଖକୁ ମଧ୍ୟ ଭାରତରୁ ବାଦ ଦେଇଥିଲା ଟ୍ବିଟର । କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା । ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଲାଣି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଟ୍ବିଟରର କାର୍ଯ୍ୟକଳାପକୁ ନେଇ ଚେତାବନୀ ଦେଇସାରିଛନ୍ତି । ଭାରତକୁ ନେଇ ଟ୍ବିଟର ଦୋମୁହାଁ ନୀତି ଆପଣାଉଥିବା ରବିଶଙ୍କର ପ୍ରସାଦ କହିଛନ୍ତି ।  

ଟ୍ବିଟରର କ୍ୟାରିୟର ପେଜ୍‌ରେ ଭାରତରେ ଯେଉଁ ନକ୍ସା ରହିଛି ସେଥିରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ନାହିଁ । ଅର୍ଥାତ ଭାରତର ଏହି ଦୁଇ ଅବିଚ୍ଛେଦ୍ୟ ଅଙ୍ଗକୁ ଭାରତର ସୀମାରୁ ଅଲଗା କରିଦିଆଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଟ୍ବିଟରକୁ ଜବାବ ଦେବାକୁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ ଟ୍ବିଟର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଗତ ସପ୍ତାହ​‌ରେ କପିରାଇଟ୍‌ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ବିଟର ଆକାଉଣ୍ଟକୁ ୧ ଘଣ୍ଟା ପାଇଁ ଲକ୍‌ କରିଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.