ଟ୍ବିଟର ହଟାଇଲା ସୁଶୀଲ ମୋଦିଙ୍କ ଟ୍ବିଟ୍, ଲାଲୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କରିଥିଲେ ଟ୍ବିଟ୍
26/11/2020 at 12:09 PM

ପାଟଣା ୨୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରିଥିବା ଟ୍ବିଟ୍ କୁ ଟ୍ବିଟର ଡିଲିଟ୍ କରିଦେଇଛି । ଏହି ଟ୍ବିଟ୍ ରେ ସୁଶୀଲ ମୋଦି ଅଭିଯୋଗ କରିଥିଲେ ଯେ, ଲାଲୁ ପ୍ରସାଦ ଯାଦବ ରାଞ୍ଚି ଜେଲରୁ ବିହାର ବିଧାନସଭା ଅଧ୍ୟକ୍ଷ ପଦକୁ ନେଇ ବିଧାୟକମାନଙ୍କୁ ଫୋନ୍ କରି ପ୍ରଲୋଭିତ କରୁଥିଲେ । ଏହାସହ ସୁଶୀଲ ମୋଦି ଟ୍ବିଟରରେ ଏକ ମୋବାଇଲ୍ ନମ୍ବର ମଧ୍ୟ ସାର୍ବଜୀନନ କରିଥିଲେ ।
ସୁଶୀଲ ମୋଦି ଏକ ମୋବାଇଲ ନମ୍ବର ସେୟାର କରି ରାଞ୍ଚି ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ଯେ, ସେ ଏନଡିଏ ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଥିଲେ । ସେ ଆହୁରି କହିଥିଲେ ଯେ, ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ମନ୍ତ୍ରୀ କରାଇ ଦେବାକୁ ଅଫର ମଧ୍ୟ ଦେଇଥିଲେ ।
ଏଭଳି ଅଭିଯୋଗ ଆଣିବାର ଦିନକ ପରେ ସୁଶୀଲ ମୋଦି ଏକ ଅଡିଓ ବାର୍ତ୍ତା ମଧ୍ୟ ଜାରି କରିଥିଲେ । ଅଡିଓରେ ସେ ଦାବି କରିଥିଲେ ଯେ, ଲାଲୁ ପ୍ରସାଦ ଯାଦବ ଭାଗଲପୁର ଜିଲ୍ଲାର ପିରପନ୍ତି ଆସନରୁ ବିଜେପି ବିଧାୟକ ଲଲନ ପାଶଓ୍ବାନଙ୍କୁ ଫୋନ୍ କରିଥିଲେ ଏବଂ ତାଙ୍କୁ ମନ୍ତ୍ରୀ କରାଇ ଦେବାକୁ ପ୍ରଲୋଭିତ ମଧ୍ୟ କରିଥିଲେ । ସୁଶୀଲ ମୋଦିଙ୍କ ପକ୍ଷରୁ ଜାରି କରାଯାଇଥିବା ଅଡିଓରେ ଶୁଣାଯାଉଥିବା ସ୍ବର ଲାଲୁ ପ୍ରସାଦ ଯାଦବଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।