ଭିଡିଓ କନଫରେନ୍ସିଂରେ ତଦନ୍ତରେ ସାମିଲ ପାଇଁ ଟ୍ବିଟର ରାଜି, ଜବାବରେ ଅସନ୍ତୁଷ୍ଟ ପୋଲିସ ପୁଣି ପଠାଇବ ନୋଟିସ୍‌

Published By : Prameya-News7 Bureau | June 21, 2021 IST

ଲକ୍ଷ୍ନୌ ୨୧/୬: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଜଣେ ମୁସଲିମ୍‌ ବୃଦ୍ଧଙ୍କ ସହିତ ହୋଇଥିବା ହିଂସା ମାମଲାରେ ଟ୍ବିଟ୍‌ରର ଅଡ଼ୁଆ ବଢ଼ିବାରେ ଲାଗିଛି। ଭାଇରାଲ୍‌ ଭିଡିଓ ମାମଲାରେ ଭିଡିଓ କନଫରେନ୍ସିଂରେ ତଦନ୍ତରେ ସାମିଲ ହେବାକୁ ସହମତି ପ୍ରକାଶ କରିଛି ଟ୍ବିଟର । କିନ୍ତୁ ଟ୍ବିଟ୍‌ର ଅଧିକାରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା ପୋଲିସ ପୁଣି ଥରେ ନୋଟିସ୍‌ ପଠାଇବ। ଏହି ମାମଲାରେ ଗାଜିଆବାଦ ପୋଲିସ ଟ୍ବିଟ୍‌ର ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିରେ ନ୍ୟୁଜ୍‌ ଓ୍ବେବସାଇଟ୍‌ ଦି ଓ୍ବାୟରକୁ ନୋଟିସ୍‌ ପଠାଇସାରିଥିବା ବେଳେ ଅନ୍ୟକୁ ନୋଟିସ୍‌ ପଠାଇବାକୁ ପ୍ରସ୍ତୁତି କରୁଛି ପୋଲିସ।

ମୁସଲିମ ବୃଦ୍ଧଙ୍କ  ସହ ହୋଇଥିବା ହିଂସା ମାମଲାରେ ସାଂପ୍ରଦାୟିକ ଅଶାନ୍ତି ପ୍ରସାର କରିବାକୁ ନେଇ ଟ୍ବିଟ୍‌ର ଇଣ୍ଡିଆର ପ୍ରବନ୍ଧ ନିର୍ଦେଶକଙ୍କୁ ନୋଟିସ କରିଥିଲା ଗାଜିଆବାଦ ପୋଲିସ। ଏହାକୁ ଭାରତର ଟ୍ବିଟ୍‌ର ପ୍ରବନ୍ଧ ନିର୍ଦେଶକ ମନୀଷ ମାହେଶ୍ବରୀଙ୍କୁ ପଠାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଲୋନି ଥାନାରେ ହାଜର ହେବାକୁ ମାହେଶ୍ବରୀଙ୍କୁ କହିଥିଲା ପୋଲିସ। ଜାରି ନୋଟିସ୍‌ରେ ପୋଲିସ ଉଲ୍ଲେଖ କରିଥିଲା ଯେ, କିଛି ଲୋକ ଟ୍ବିଟ୍‌ର ମାଧ୍ୟମରେ ସମାଜରେ ହିଂସା ପ୍ରସାର କଲେ କିନ୍ତୁ ଟ୍ବିଟର ଏହାକୁ ରୋକିବାରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ତେବେ ଅନଲାଇନ୍‌ ନ୍ୟୁଜ୍‌ ପବ୍ଲିସିଂ ପ୍ଲାଟଫର୍ମ ପାଇଁ ସରକାର ନୂଆ ନିୟମ ଆଣିବା ପରେ ସୋସିଆଲ୍‌ ମିଡିଆ ଦିଗଜଙ୍କ ବିରୋଧରେ ଏହା ପ୍ରଥମ ମାମଲା। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ଉତ୍ତଦପ୍ରଦେଶରେ ଯାହା ହେଲା ଏହା ନକଲି ଖବର ରୋକିବାରେ ଟ୍ବିଟରର ମନମାନୀକୁ ଦର୍ଶାଉଛି।

 ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦାବି କରାଯାଇଥିଲା, ମୁସଲିମ ବୃଦ୍ଧଙ୍କୁ ଚାପୁଡ଼ା ମାରି ଜୟ ଶ୍ରୀରାମ ନାରା ଲଗାଇବାକୁ ବାଧ୍ୟ କରାଯାଇଥିଲା ଏବଂ ବୃଦ୍ଧଙ୍କ ଦାଢ଼ି କାଟିଦିଆଯାଇଥିଲା। କିନ୍ତୁ ପୋଲିସ ଅନୁସାରେ ଏହି ମାମଲାରେ ଜବରଦସ୍ତି ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରାଯାଇଥିଲା। ଏହି ଘଟଣା ୫ ଜୁନ୍‌ରେ ହୋଇଥିବା ବେଳେ ଦୁଇ ଦିନ ପରେ ଥାନରେ ଏତଲା ହୋଇଥିଲା। ତେବେ ଏହି ଘଟଣା ପଛରେ ତନ୍ତ୍ର ସାଧନା ଥିବା କହିଛି ପୋଲିସ। ପୀଡ଼ିତ ବୃଦ୍ଧ ଅଭିଯୁକ୍ତଙ୍କୁ ଲକେଟ୍‌ ଦେଇଥିଲେ। ଏହାର ପରିଣାମ ନମିଳିବାରୁ  ଅଭିଯୁକ୍ତ ବୃଦ୍ଧଙ୍କୁ ମାଡ଼ ମାରିଥିଲା। ସେପଟେ ପୀଡ଼ିତ ଦେଇଥିବା ଏତଲାରେ ଜୟ ଶ୍ରୀରାମ ନାରା ଏବଂ ଦାଢ଼ି କାଟିବା ସମ୍ପର୍କରେ କୌଣସି ଅଭିଯୋଗ କରିନଥିବା ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.