ଫେସ୍‌ବୁକ୍ ପ୍ରେମରେ ଟ୍ବିଷ୍ଟ: ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି

Published By : Prameya-News7 Bureau | May 15, 2020 IST

ଭୁବନେଶ୍ୱର୧୫/୫: ପ୍ରଥମେ ଫେସ୍‌ବୁକ୍‌ରୁ ପ୍ରେମ । ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଦୁଷ୍କର୍ମ ଓ ପ୍ରତାରଣା। ଏଭଳି ଜଣେ ପ୍ରତାରକ ପ୍ରେମିକକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ ଆଦିତ୍ୟ ପ୍ରସାଦ କୁଣ୍ଡୁ (୨୫) । ଘର ଖୋର୍ଦ୍ଧା ବାଘମାରୀ ।

ପୁଲିସ ସୂଚନା ଅନୁଯାୟୀ, ବଡ଼ଗଡ଼ ଅଞ୍ଚଳରେ ରହୁଥିବା ସ୍ୱପ୍ନା (ଛଦ୍ମନାମ,୨୧)ଙ୍କ ସହ ଆଦିତ୍ୟଙ୍କ ଦେଖା ହୋଇଥିଲା । ପରେ ଉଭୟ ଫେସ୍‌ବୁକ୍‌ ଆଇଡି ଦିଆନିଆ ହୋଇଥିଲେ । କିଛିଦିନ ମଧ୍ୟରେ ସେମାନଙ୍କ ବନ୍ଧୁତା ନିବିଡ଼ ହୋଇ ଯାଇଥିଲା । ଉଭୟଙ୍କ ପରସ୍ପରକୁ ଭଲ ପାଇ ବସିଥିଲେ । କିଛିଦିନ ପ୍ରେମ ସଂପର୍କ ପରେ ଆଦିତ୍ୟ ସ୍ୱପ୍ନାଙ୍କୁ ଧରି ହୋଟେଲ୍‌, ପାର୍କ ଆଦି ବୁଲାବୁଲି କରିଥିଲେ ।

ପରେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲେ । ବାରମ୍ବାର ଶାରିରୀକ ସଂପର୍କ ପରେ ସ୍ୱପ୍ନା ଗର୍ଭବତୀ ହୋଇଥିଲେ । ଆଦିତ୍ୟଙ୍କୁ ବିବାହ କରିବାକୁ ସ୍ୱପ୍ନା ଜିଦ୍‌ ଧରିଥିଲେ । ଏହାପରେ ସେ ଆଉ ଧରାଛୁଆଁ ଦେଇ ନଥିଲେ । ଶେଷରେ ନିରାଶ ହୋଇ ସ୍ୱପ୍ନା ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ଆଦିତ୍ୟଙ୍କୁ ଗିରଫ କରିଥିଲା । ଆଜି ପୁଲିସ ସ୍ୱପ୍ନା ଓ ଆଦିତ୍ୟଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇଥିଲା । ଅପରାହ୍ଣରେ ଆଦିତ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.