କରୋନା ମ୍ୟାପ୍‌ରୁ କଟିଲା ୨୬ ଦେଶ, ଆଉ ଜଣେ ବି ସକ୍ରିୟ କୋଭିଡ଼ ଆକ୍ରାନ୍ତ ନାହାନ୍ତି

Published By : Prameya-News7 Bureau | June 10, 2020 IST

ଲଣ୍ଡନ ୧୦।୦୬ : ସାରାବିଶ୍ୱରେ ଏବେ କରୋନା ଭାଇରସ ଅଣାୟତ ହୋଇରହିଛି । କିନ୍ତୁ କିଛି ଦେଶ ଏବେ କରୋନା ଭଳି ମହାମାରୀରୁ ମୁକ୍ତି ପାଇସାରିଲେଣି । ସେଠାରେ ଏବେ ଗୋଟିଏ ବି ହେଲେ ସଂକ୍ରମଣ ମାମଲା ନାହିଁ । ବିଶ୍ୱବ୍ୟାପୀ ଏଯାବତ୍‌ ୭୨.୫୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ୪.୧୦ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ପ୍ରକୋପରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଭଲ ଖବର ହେଉଛି କେତେକ ଦେଶରେ କରୋନା ଭାଇରସର ମୂଳୋତ୍ପାଟନ ହୋଇଛି । ଗତ କିଛି ଦିନ ହେବ କେତେକ ଦେଶରେ କରୋନା ଭୂତାଣୁର ଗୋଟିଏ ହେଲେ ସକ୍ରିୟ ମାମଲା ସାମ୍ନାକୁ ଆସିନାହିଁ। କିଛି ଦିନ ତଳେ କରୋନା ସଂକ୍ରମଣରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇସାରିଛି । ଯାହାର ଖୁସି ବ୍ୟକ୍ତ କରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ନାଗୁଥିବାର ଭିଡିଓ ଭାଇରଲ ହୋଇଥିଲା ।

ରିପୋର୍ଟ ଅନୁସାରେ, ୨୬ଟି ଦେଶ ଏବେ କରୋନାମୁକ୍ତ ହୋଇଛନ୍ତି । ଏହି ଦେଶଗୁଡିକ ହେଲେ ନ୍ୟୁଜିଲାଣ୍ଡ୍‌, ଆଇଲ ଅଫ୍‌ ମ୍ୟାନ୍‌, ମୋଣ୍ଟେନିଗ୍ରୋ, ଫେରୋ ଆଇଲାଣ୍ଡ୍‌, ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ, ଅରୁବା, ଫ୍ରେଞ୍ଚ୍‌ ପଲିନେସିଆ, ମାକାଓ, ଏରିତ୍ରୀ, ତିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ୍‌, ଫିଜି, ସେଣ୍ଟ୍‌ କିଟ୍‌ସ ଆଣ୍ଡ୍‌ ନେବିସ୍‌, ଫାଲ୍କଲାଣ୍ଡ୍‌ ଆଇଲାଣ୍ଡ୍‌ସ, ଗ୍ରୀନ୍‌ଲାଣ୍ଡ୍‌, ଟର୍କସ ଆଣ୍ଡ୍‌ କାଇକୋଜ୍‌ ଆଇଲାଣ୍ଡ୍‌ସ, ଭାଟିକାନ୍‌ ସିଟି, ମାଣ୍ଟ୍‌ସେରାଟ୍‌, ସେସୋଲ୍ସ, ବ୍ରିଟିଶ ଭର୍ଜିନ୍‌ ଆଇଲାଣ୍ଡ୍‌ସ, ପପୁଆ ନ୍ୟୁ ଗିନି, କାରାବିଆନ୍‌ ନେଦର୍‌ଲାଣ୍ଡ୍‌ସ, ସେଣ୍ଟ୍‌ ବାର୍ଥ, ଆଂଗ୍ୱିଲା ଏବଂ ସେଣ୍ଟ୍‌ ପିୟରେ ମିକ୍ୱେଲୋନ୍‌।

ବ୍ରିଟେନରେ ୧,୭୪୧ ନୂଆ ମାମଲା ଆସିବା ପରେ ଏହାର ମୋଟ ସଂକ୍ରମିତ ଲୋକ ସଂଖ୍ୟା ୨,୮୯,୧୪୦କୁ ବୃଦ୍ଧି ପାଇଛି । ଫଳରେ ଏହା ସ୍ପେନ୍‌କୁ ପଛରେ ପକାଇଦେଇଛି । ସ୍ପେନ୍‌ରେ ଏବେ ୨,୮୮,୭୯୭ ଲୋକ ସଂକ୍ରମିତ ଅଛନ୍ତି । ଆମେରିକାରେ ସର୍ବାଧିକ ୨୦.୩୨ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ୧,୧୩,୩୭୯ ରୋଗୀ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସଂକ୍ରମିତ ସଂଖ୍ୟା ୭,୧୧,୬୯୬ ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୭,୩୫୯ରେ ପହଞ୍ଚିଛି । ସେହିଭଳି ରୁଷରେ ଦିନକରେ ପାଖାପାଖି ୯,୦୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଏଠାରେ ମୋଟ ସଂକ୍ରମିତ ସଂଖ୍ୟା ୪,୮୫,୨୫୩ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.