ରେଷ୍ଟୁରାଣ୍ଟରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୦୬।୦୩: ରେଷ୍ଟୁରାଣ୍ଟ ବାହାରେ ଜୋରଦାର ବିସ୍ଫୋରଣ । ଏହି ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଦାର କରି ସହରର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀରେ ମୋଗାଦିଶୁରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଦ୍ରୁତ ଗତିରେ ଏକ କାର୍‌ ଆସି ଏହି ଆତ୍ମଘାତୀ ବିସ୍ଫୋରଣ କରିଛି । ଯାହାଫଳରେ କି ଏହି ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । ସେହିପରି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବିସ୍ଫୋରଣ ପରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ପରେ ଘଟଣାସ୍ଥଳରେ ଗୁଳିମାଡ଼ ହୋଇଛି । ଯେଉଁଥିରେ କି କିଛି ଲୋକ ମୃତାହତ ହୋଇଥିବାର ଅନୁମାନ କରାଯାଉଛି । ତେବେ ସୋମାଲିଆର ବିଭିନ୍ନ ସ୍ଥାନରେ ଅଲ୍‌ସବାବ ଆତଙ୍କୀ ସଂଗଠନ ଅନେକ ବିସ୍ଫୋରଣ କରିଥାଏ । ପୁରା ଦେଶରେ ଆତଙ୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.