୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ, Covid ସତ୍ତ୍ୱେ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ
25/11/2020 at 8:16 PM

ମୁମ୍ବାଇ ୨୫।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରଣ ହୋଇଛି। ୨୬ ନଭେମ୍ବର ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। କୋଭିଡ-୧୯ ମହାମାରୀ ପ୍ରକୋପ ସତ୍ତ୍ୱେ ସୀମିତ ଲୋକେ ଓ ସହିଦଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଠିକ୍ ୧୨ ବର୍ଷ ପୂର୍ବେ ୨୦୦୮ ମସିହା ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ୍ରେ ଆତଙ୍କବାଦୀଙ୍କ ଏକେ-୪୭ ରାଇଫଲ ଗର୍ଜି ଥିଲା। ଦେଖୁ ଦେଖୁ ଆର୍ଥିକ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା । ପାକ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବାର ୧୦ ପ୍ରଶିକ୍ଷିତ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ମୁମ୍ବାଇ ପଶିଆସି ଦୀର୍ଘ ୪ ଦିନ କାଳ ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲେ। ସେମାନେ ସହରର ୧୨ଟି ସ୍ଥାନରେ ସଂଯୋଜିତ ଗୁଳିକାଣ୍ଡ ସାଙ୍ଗକୁ ବୋମାମାଡ କରିଥିଲେ। ଫଳରେ ୯ ଜଣ ଆତଙ୍କବାଦୀଙ୍କ ସମେତ ମୋଟ ୧୭୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଲୋକେ ଆହତ ହୋଇଥିଲେ।

ଏହି ଆତଙ୍କବାଦୀ ଆକ୍ରମଣରେ ନିହତ ସହିଦ ସୁରକ୍ଷା କର୍ମୀଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ପୋଲିସ ମୁଖ୍ୟାଳୟରେ ଗୁରୁବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଠାରେ ନବନିର୍ମିତ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁମ୍ବାଇ ପୋଲିସର ଜନୈକ ଅଧିକାରୀ କହିଛନ୍ତି। ଚଳିତବର୍ଷ କୋଭିଡ କାରଣରୁ ଉତ୍ସବ ନିରାଡମ୍ବ ପାଳିତ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ସୀମିତ ସଂଖ୍ୟାରେ ଲୋକଙ୍କୁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନୀଲ ଦେଶମୁଖ, ପୋଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ରଜୟସ୍ୱାଲ, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ସ୍ମାରକ ପ୍ରଥମେ ମେରିନ ଡ୍ରାଇଭରେ ଥିଲା। ତେବେ କୋଷ୍ଟାଲ ରୋଡ ପ୍ରୋଜେକ୍ଟ କାମ ଚାଲିଥିବାରୁ ସ୍ମାରକକୁ ମେରିନଡ୍ରାଇଭସ୍ଥିତ ପୋଲିସ ଜିମଖାନାରୁ କ୍ରଫର୍ଡ ମାର୍କେଟସ୍ଥିତ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଛି।

ଏହି ଆତଙ୍କବାଦୀ ଆକ୍ରମଣରେ ମୁମ୍ବାଇ ପୋଲିସର ସୁରକ୍ଷା କର୍ମୀ ତୁକାରାମ ଓମ୍ବଲେ, ପୋଲିସ ଯୁଗ୍ମ କମିଶନର ହେମନ୍ତ କରକରେ, ଅତିରିକ୍ତ ପୋଲିସ କମିଶନର ଅଶୋକ କାମତେ, ସିନିୟର ଇନିସପେକ୍ଚର ବିଜୟ ସାଲସ୍କର, ଶଶାଙ୍କ ସିନ୍ଦେ, ଏନଏସଜି କମାଣ୍ଡୋ ମେଜର ସନ୍ଦୀପ ଉନ୍ନିକ୍ରୁଷ୍ଣନ୍, ଏନଏସଜି କମାଣ୍ଡୋ ହାବିଲଦାର ଗଜେନ୍ଦ୍ର ସିଂ ବିଷ୍ଟଙ୍କ ସମେତ ୩ ରେଳବାଇ କର୍ମଚାରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।