ଟ୍ୱିଟର ପ୍ଲାଟଫର୍ମରେ ଆଉ ରାଜନୀତିକୁ ମିଳିବନି ପ୍ରଶୟ, ସିଇଓ ଜ୍ୟାକ ଡୋର୍ସିଙ୍କ ନିଷ୍ପତ୍ତିକୁ ହିଲାରୀ କ୍ଲିଣ୍ଟନଙ୍କ ସ୍ୱାଗତ
31/10/2019 at 3:23 PM

ୱାସିଂଟନ : ରାଜନୀତି ଲାଗି ଆଉ ନିଜ ପ୍ଲାଟଫର୍ମକୁ ବ୍ୟବହାର ହେବାକୁ ଦେବନି ଟ୍ୱିଟର। ସିଇଓ ଜ୍ୟାକ୍ ଡୋର୍ସି ଏହି ନିଷ୍ପତ୍ତି ନେଇଛନ୍ତି। ସିଇଓଙ୍କ ନିଷ୍ପତ୍ତି ଅନୁସାରେ ଟ୍ୱିଟରରେ ଆଗକୁ କୌଣସି ରାଜନୈତିକ ଦଳର ବିଜ୍ଞାପନ ଆଉ ପ୍ରସାରଣ କରାଯିବନି। ଡୋର୍ସିଙ୍କ ନୂଆ ନିଷ୍ପତ୍ତି ଆସନ୍ତା ନଭେମ୍ବର ୨୨ ତାରିଖରୁ କାର୍ଯ୍ୟକାରୀ ହେବ।

କମର୍ସିଆଲ ଆଡଭର୍ଟାଇଜରଙ୍କ ଲାଗି ଇଣ୍ଟରନେଟ୍ ରେ ବିଜ୍ଞାପନ ଏକ ପ୍ରଭାବଶାଳୀ ମାଧ୍ୟମ। ତେବେ ରାଜନୀତି ଲାଗି ଏହା ବିପଦଜନକ ବୋଲି ଟ୍ୱିଟର ସିଇଓ କହିଛନ୍ତି। ରାଜନୀତିରେ ଏଭଳି ବିଜ୍ଞାପନ ଭୋଟକୁ ପ୍ରଭାବିତ କରିବ ବୋଲି ଡୋର୍ସି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ଏଥିଯୋଗୁ ହୁଏତ ଲକ୍ଷଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହୋଇପାରେ। ଏଣୁ ଟ୍ୱିଟରରେ କୌଣସି ରାଜନୈତିକ ଦଳଙ୍କର ବିଜ୍ଞାପନ ପ୍ରସାରଣ କରାଯିବନି ବୋଲି ଡୋର୍ସି ଉଲ୍ଲେଖ କରିଛନ୍ତି। ଏ ନେଇ ଟ୍ୱିଟରର ବିସ୍ତୃତ ନିୟମାବଳି ଆଗାମୀ ମାସରେ ସୂଚିତ କରାଯିବ। ଯାହାକୁ ନଭେମ୍ବର ୨୨ ତାରିଖରୁ କଡାକଡି ଭାବେ ଲାଗୁ କରାଯିବ ବଲି ଟ୍ୱିଟର ସିଇଓ କହିଛନ୍ତି।

ତେବେ ଅନ୍ୟତମ ପ୍ରମୁଖ ସୋସାଲ ମିଡିଆ ମାଲିକ ମାର୍କ ଜୁକେରବର୍ଗଙ୍କ ଯୁକ୍ତି କିନ୍ତୁ ଭିନ୍ନ । ତାଙ୍କର କହିବା କଥା ହେଲା ରାଜନୈତିକ ବିଜ୍ଞାପନ ସୋସାଲ ମିଡିଆ ରାଜସ୍ୱର ମୁଖ୍ୟ ଆୟ ନୁହେଁ। ତେବେ ସମସ୍ତଙ୍କୁ ଅଭିବ୍ୟକ୍ତିର ଅଧିକାର ଦେବା ଏହାର ଅସଲ ଉଦ୍ଦେଶ୍ୟ। ହେଲେ ବିଜ୍ଞାପନକୁ ନିଷିଦ୍ଧ କରି କେବଳ ଶାସକ ଦଳଙ୍କ ଉଦ୍ଦେଶ୍ୟ ସିଦ୍ଧି କରାଯାଇପାରେ ବୋଲି ଜୁକେରବର୍ଗ କହିଛନ୍ତି। ଅନ୍ୟପକ୍ଷରେ ଡୋର୍ସିଙ୍କ ନିଷ୍ପତ୍ତିକୁ ଆମେରିକା ରିପବ୍ଲିକାନ ପାର୍ଟିର ସଦସ୍ୟା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ କିନ୍ତୁ ଉଚ୍ଚ ପ୍ରଶଂସା କରିଛନ୍ତି। ହେଲେ ଡୋର୍ସିଙ୍କ ନିଷ୍ପତି ଟ୍ୱିଟରର ରାଜସ୍ୱକୁ ସାମାନ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରିଛନ୍ତି ଏହାର ମୁଖ୍ୟ ଆର୍ଥିକ ଅଧିକାରୀ ନେଡ୍ ସହଗଲ।