ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନିଯୁକ୍ତ କଲା ମୁଖ୍ୟ ଅନୁପାଳନ ଅଧିକାରୀ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ, ୧୬/୦୬ : ନୂଆ ଆଇଟି ନିୟମକୁ ନେଇ ଶେଷରେ କେନ୍ଦ୍ର ଆଗରେ ନଇଁଛି ସୋସିଆଲ୍‌ ମିଡିଆ ତଥା ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ୱିଟର୍‌ । ନୂଆ ନିୟମ ପାଳନ କରିବାକୁ ଯାଇ ଏହା ଅନ୍ତରୀଣ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିଛି । ଖୁବଶୀଘ୍ର ସରକାରଙ୍କୁ ଏହି ଅଧିକାରୀଙ୍କ ବାବଦରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରିବ ।

ପୂର୍ବରୁ ଫେସ୍‌ବୁକ୍‌ ଓ ଅନ୍ୟ ସୋସିଆଲ୍‌ ମିଡିଆ ସଂସ୍ଥାଗୁଡ଼ିକ ନୂଆ ଆଇଟି ନିୟମ ଆଧାରରେ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିଥିଲେ । କିନ୍ତୁ ଟ୍ୱିଟର୍‌ ଏହାକୁ ପାଳନ କରି ନ ଥିଲା । ପରେ କେନ୍ଦ୍ର ସରକାର ଏଥିପାଇଁ କମ୍ପାନିକୁ ନୋଟିସ୍‌ ଜାରି କରି ତାଗିଦ୍‌ କରିଥିଲେ । ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହା ପୂର୍ବରୁ ଟ୍ୱିଟର୍‌ର ଜଣେ ମୁଖପାତ୍ର କହିଥିଲେ କି କମ୍ପାନି ସରକାରଙ୍କ ମାର୍ଗଦର୍ଶିକାକୁ ପାଳନ ପାଇଁ ଯଥାସମ୍ଭବ ଚେଷ୍ଟା କରିବ । ଏ ସମ୍ପର୍କରେ ଯାହା ବି ପଦକ୍ଷେପ ନେବ, ସେ ବାବଦରେ ଆଇଟି ମନ୍ତ୍ରଣାଳୟକୁ ଅବଗତ କରାଇବ ।

ଉଲ୍ଲେଖଯୋଗ୍ୟ, ନୂଆ ମାର୍ଗଦର୍ଶିକା ପାଳନ କରିବାକୁ ଯାଇ ଫେସ୍‌ବୁକ୍‌ ଭାରତରେ ଅଭିଯୋଗ ପ୍ରତିକାର ଅଧିକାରୀ ନିଯୁକ୍ତ କରିସାରିଛି । କମ୍ପାନି ନିଜ ୱେବ୍‌ସାଇଟ୍‌ରେ ଏହି ଅଧିକାରୀଙ୍କ ନାମ ସ୍ପୁର୍ତ୍ତି ପ୍ରିୟା ବୋଲି ପ୍ରଦର୍ଶନ କରିଛି । ଫେସ୍‌ବୁକ୍‌ କହିଛି ଯେ ୟୁଜରମାନେ ମେଲ୍‌ ଜରିଆରେ ସ୍ପୁର୍ତ୍ତିଙ୍କ ସହ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଫେସ୍‌ବୁକ୍‌ରେ ପୋଷ୍ଟ ଜରିଆରେ ମଧ୍ୟ ଉପଭୋକ୍ତାମାନେ ଅଭିଯୋଗ ପଠାଇ ପାରିବେ । ସେହିଭଳି ହ୍ୱାଟ୍‌ସଆପ୍‌ ପରେଶ ବି. ଲାଲ୍‌ଙ୍କୁ ନିଜର ଅଭିଯୋଗ ପ୍ରତିକାର ଅଧିକାରୀ ଭାବେ ନିଯୁକ୍ତ କରିବା ସହ ୱେବ୍‌ସାଇଟ୍‌ରେ ନାମ ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ନୂଆ ଆଇଟି ନିୟମକୁ ପାଳନ ନକରିଥିବାରୁ ଟ୍ୱିଟର ପାଇଁ ଅଡୁଆ ବଢିବାରେ ଲାଗିଛି । ଭାରତ ସରକାର ନୂଆ ଆଇଟି ନିୟମ ଅନୁସାରେ ଟ୍ୱିଟର ଉପରେ କଟକଣା ଲଗାଇବା ଆରମ୍ଭ କରିଦେଇଛନ୍ତି । ଭାରତରେ ଏବେ ଟ୍ୱିଟର ଆଇନଗତ ସୁରକ୍ଷାର ଅଧିକାର ହରାଇ ସାରିଛି । ଅର୍ଥାତ ଟ୍ୱିଟରର କୌଣସି ୟୁଜର କିଛି ଆପତ୍ତିଜନକ ପୋଷ୍ଟ କିମ୍ବା, ସାଂପ୍ରଦାୟିକତା ଭଙ୍ଗ ସମ୍ବନ୍ଧୀୟ ପୋଷ୍ଟ କଲେ କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ପୋଲିସ ଜେରା କରିପାରିବ ।

ଏହାସହ ଟ୍ୱିଟରକୁ ମିଳୁଥିବା ସୁରକ୍ଷା ଅଧିକାର ଛିନ୍ନ ହୋଇଛି । ସୂତ୍ରାନୁସାରେ, କମ୍ପାନୀ ନୂଆ ନିୟମକୁ ପାଳନ କରିବାକୁ ଚାହୁଁନାହିଁ । ଟ୍ୱିଟର ବ୍ୟତୀତ ଗୁଗଲ, ୟୁଟ୍ୟୁବ, ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଭଳି ଅନ୍ୟ ସାମାଜିକ ଗଣମାଧ୍ୟମ ପାଇଁ ସୁରକ୍ଷା ଅଧିକାର ପୂର୍ବପରି ରହିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.