ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୧।୫: କରୋନା ମହାମାରୀ ସାରା ଦେଶରେ ଏମିତି ବ୍ୟାପିଯାଇଛି ଯେ କେତେବେଳେ କାହାର କଣ ହେବ କିଛି କହିହେବନି । ପ୍ରତିଦିନ ଆମେ କରୋନା ମହାମାରୀକୁ ନେଇ ଦୁଃଖଦ ଘଟଣାମାନ ଶୁଣିବାକୁ ପାଉଛୁ । ଗତ କିଛି ଦିନ ଭିତରେ ଦେଶର ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ କରୋନା ଯୋଗୁଁ ଆମେ ହରେଇସାରିଲୁଣି । ଏମାନଙ୍କ ମଧ୍ୟରେ ଗଣମାଧ୍ୟମର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଅଛନ୍ତି । ଶୁକ୍ରବାର ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ ହୋଇଥିବା ବେଳେ ଶନିବାର ମଧ୍ୟ ଆଉ ଜଣଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି ।

କନୁପ୍ରିୟା ଜଣେ ଲୋକପ୍ରିୟ ଉପସ୍ତାପିକା ସହ ଜଣେ ପ୍ରଖ୍ୟାତ ଅଭିନେତ୍ରୀ ମଧ୍ୟ ଥିଲେ । ସେ ମଧ୍ୟ ବ୍ରହ୍ମକୁମାରୀ ଆଶ୍ରିତ ଥିଲେ । ତାଙ୍କ ବିୟୋଗ ନେଇ ସୋସିଆଲ ମିଡିଆରେ ମୋନା ଓ୍ବାଲିଆ ସେୟାର କରିଛନ୍ତି । କନୁପ୍ରିୟା ଦୁଇ ଦିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, କରୋନାରେ ସଂକ୍ରମିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ତାଙ୍କୁ ସମସ୍ତଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଲେଖିଥିଲେ । କୁହାଯାଉଛି ଯେ, କନୁପ୍ରିୟାଙ୍କର ଅକ୍ସିଜେନ୍ ଲେଭେଲ କମ୍ ହେବା ଏବଂ ଜ୍ବର ବଢିବା କାରଣରୁ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ଶୁକ୍ରବାର ଦିନ ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ ହୋଇଥିଲା । ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ନୋଏଡା ସେକ୍ଟର ୧୧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ପରେ ଏବେ କନୁପ୍ରିୟାଙ୍କ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଅତ୍ୟନ୍ତ ଦୁଃଖଦାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.