Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିଭି କଳାକାର ମନମିତ୍ ଗ୍ରେଓ୍ଵାଲଙ୍କ ଆତ୍ମହତ୍ୟା, କରୋନାରେ କାମ ନଥିଲା, ଆର୍ଥିକ ଚାପରେ ଡିପ୍ରେସନରେ ଥିଲେ

18/05/2020 at 7:52 PM

ମୁମ୍ବାଇ ୧୮।୦୫: ଲକ୍‌ଡାଉନ୍‌ ସମୟରେ ଆର୍ଥିକ କ୍ଷେତ୍ରଠୁ ନେଇ ପ୍ରାୟ ଅଧିକାଂଶ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେ କ୍ରୀଡା ଜଗତ ହେଉ କି ଅଭିନୟ ଜଗତ ହେଉ ସମସ୍ତେ ହାତ ବାନ୍ଧି ବସିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ଲକ୍ଷାଧିକ ଲୋକ ରୋଜଗାର ହରାଇ ସାରିଲେଣି। ଏହା ମଧ୍ୟରେ ଜଣେ ଟିଭି ଅଭିନେତା ଲକ୍‌ଡାଉନ୍‌ ସମୟରେ ଗୁରୁତର ଆର୍ଥିକ ସଙ୍କଟରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତାଙ୍କ ନାଁ ମନମିତ୍ ଗ୍ରେଓ୍ଵାଲ। ତାଙ୍କ ଆତ୍ମହତ୍ୟା ଖବରର ସୂଚନା ପରିବାର ସାଙ୍ଗ ତଥା ନିର୍ମାତା ମନଜିତ ସିଂହ ରାଜପୁତ ଦେଇଛନ୍ତି। ମନଜିତ ଟିମ୍ ଶୋ ଆଦତ ସେ ମଜବୁତ ଏବଂ କୁଲଦୀପକ ପରି ଧାରାବାହିକରେ ଅଭିନୟ କରୁଥିଲେ।

ପଞ୍ଜାବ ନିବାସୀ ମନମିତ୍ ଗ୍ରେଓ୍ଵାଲ ଗତ ଶୁକ୍ରବାର ରାତିରେ ନିଜର ଖରଘର ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜର ୩୨ ବର୍ଷୀୟ ପତ୍ନୀ ସହ ସେଠାରେ ରହୁଥିଲେ। ମନଜିତ ସିଂହ ରାଜପୁତ ଗତ ସାତ ବର୍ଷ ହେବ ମନମିତଙ୍କୁ ବେଶ୍ ଭଲ ଭାବେ ଜାଣିଛନ୍ତି। ମନମିତ୍ ଗମ୍ଭୀର ଆର୍ଥିକ ସମସ୍ୟାରେ ରହିଥିଲେ ଏବଂ ଲକ୍‌ଡାଉନ୍‌ କାରଣରୁ ରୋଜଗାର କରି ପାରୁନଥିଲେ ବୋଲି ମନଜିତ କହିଛନ୍ତି।

ବହୁତ ବଡ ଆର୍ଥିକ ସମସ୍ୟା ଥିବାରୁ ମନମିତ୍ ବିଷାଦରେ ରହୁଥିଲେ। ଲକ୍‌ଡାଉନ୍‌ କାରଣରୁ କାମ ବନ୍ଦ ଥିବା ଏବଂ ଅର୍ଥ ରୋଜଗାର ହେଉନଥିବାରୁ ସେ ଋଣ ପରିଶୋଧ କରି ପାରୁନଥିଲେ। ତାଙ୍କ ଆତ୍ମହତ୍ୟାରେ ପତ୍ନୀ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ବୋଲି ମନଜିତ କହିଛନ୍ତି।

ମନମିତ୍ ଗ୍ରେଓ୍ଵାଲ ଓ୍ଵେବ୍‌ ସିରିଜ୍ ଏବଂ କିଛି ବାଣିଜ୍ୟିକ ଧାରାବାହିକରେ କାମ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ କାରଣରୁ ଏହି ସବୁ ପ୍ରୋଜେକ୍ଟ କାମ ବନ୍ଦ ରହିଛି। କାମଧନ୍ଦା ସବୁ ଠପ୍ ରହିଥିବାରୁ ମନମିତଙ୍କ ରୋଜଗାର ସ୍ରୋତ ବନ୍ଦ ହୋଇ ଯାଇଥିଲା। ତେଣୁ ଲୋନ ପରିଶୋଧ ନ ହୋଇପାରିବା ଏବଂ ଗୁରୁତର ଆର୍ଥିକ ସଙ୍କଟ ବୋଝ ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି।

   Related Posts