ନିଷ୍ଠୁର ହେଲେ ଟ୍ୟୁସନ ଶିକ୍ଷକ, ବେତରେ ପିଟି ପିଟି ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଲହୁଲୁହାଣ

Published By : Prameya-News7 Bureau | November 01, 2019 IST

ଭୁବନେଶ୍ବର ୧।୧୧: ସବୁ ସୀମା ଟପିଗଲେ ଟ୍ୟୁସନ ସାର୍‌ । ଶାସନ ଆଳରେ ବେତରେ ପିଟି ପିଟି ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଲହୁଲୁହାଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରର ଏକ ଟ୍ୟୁଟୋରିଆଲରେ । ଏନେଇ ଛାତ୍ରୀଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଶୈଳଶ୍ରୀ ବିହାରର ନାବାଳିକା ଛାତ୍ରୀ ଟ୍ୟୁସନ ହେବା ପାଇଁ ଏକ ଟ୍ୟୁଟୋରିଆଲକୁ ଯାଆନ୍ତି । ପାଠ ପଢ଼ିବାକୁ ଅଧିକାଂଶ ସମୟରେ ଟ୍ୟୁସନ ସାର ସଂପୃକ୍ତ ଛାତ୍ରୀଙ୍କୁ ତାଗିଦ କରନ୍ତି । ଟ୍ୟୁଟୋରିଆଲରେ ଦିଆଯାଇଥିବା ହୋମୱାର୍କ ନକରି ଆସିଥିବାରୁ ସଂପୃକ୍ତ ଶିକ୍ଷକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା । ଆଉ ତାପରେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ମାଡ଼ରେ ଛାତ୍ରୀଙ୍କ ହାତ, ଗୋଡ ଓ ଜଙ୍ଘରେ ନୋଳା ଫାଟି ଯାଇଥିଲା । ଅସହ୍ୟ ଯନ୍ତ୍ରଣାରେ ଛାତ୍ରୀଜଣଙ୍କ କାନ୍ଦିବାରୁ ନିର୍ଦ୍ଦୟ ଶିକ୍ଷକ ଛାତ୍ରୀଙ୍କ ମୁଣ୍ଡକୁ ଟେବୁଲରେ ମାଡ଼ି ଦେଇଥିଲେ ।

ଘଟଣା ସଂପର୍କରେ ଛାତ୍ରୀ ଜଣଙ୍କ ଘରେ କହିବା ପରେ ପରିବାର ଲୋକ ଶିକ୍ଷକଙ୍କୁ ପଚାରିଥିଲେ । ମାତ୍ର ଶିକ୍ଷକ ଏନେଇ ଓଲଟା ଛାତ୍ରୀଙ୍କ ବାପା ମାଙ୍କ ସହିତ ଯୁକ୍ତି କରିବା ସହ ସେମାନଙ୍କୁ ଧମକଚମକ ଦେଇଥିଲେ । ପରେ ଛାତ୍ରୀଙ୍କ ପରିବାରଲୋକ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ସହିତ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.