ସୁପର୍ ସ୍ପ୍ରେଡର୍ ଟ୍ୟୁସନ ସାର୍: କଟକଣା ନମାନି ପଢାଉଥିଲେ, ଏବେ ୩ ଛାତ୍ର କରୋନା ପଜିଟିଭ୍

Published By : Prameya-News7 Bureau | July 09, 2020 IST

କୋରାପୁଟ, ୦୯|୦୭: ଟ୍ୟୁସନ୍ ସାର୍ ପାଲଟିଲେ କରୋନା ସୁପର ସ୍ପ୍ରେଡର୍ । କଟକଣା ନମାନି କରୁଥିଲେ ଟ୍ୟୁସନ୍ । ନିଜେ ପଜିଟିଭ୍ ଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା ପରେ ଛାତ୍ରମାନେ ମଧ୍ୟ କୋଭିଡ-୧୯ ପଜିଟିଭ୍ ଟିହ୍ନଟ ହେଲେ । ରାଜ୍ୟ ସରକାର  ଘରୋଇ ଟ୍ୟୁସନ୍‌ ଉପରେ ଲଗାଇଥିଲେ କଡ଼ା କଟକଣା । କିନ୍ତୁ ଏହାକୁ  ମାନୁନଥିଲେ ସାର୍‌ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ । ଏଠାରେ ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ସର୍ଗିଗୁଡ଼ା ପଞ୍ଚାୟତର ଜଣେ ଛାତ୍ର । ଏଣୁ ସର୍ଗିଗୁଡ଼ା ପଞ୍ଚାୟତର ସମ୍ପୃକ୍ତ ୱାର୍ଡକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରାଯାଇଛି ।

ତିନି ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେମାନଙ୍କ ବାପାମାଆଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ବୋରିଗୁମ୍ମା ପଞ୍ଚାୟତକୁ ୫ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି । ବୁଧବାର ସନ୍ଧ୍ୟା ୬ଟାରୁ ୫ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।ମୋଟାମୋଟି ଟ୍ୟୁସନ୍‌ ସାର୍‌ ଜଣଙ୍କ ବୋରିଗୁମ୍ମାରେ ସୁପର ସ୍ପ୍ରେଡର୍‌ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ସମସ୍ତ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଟ୍ୟୁସନ୍‌ ଶିକ୍ଷକ ଜଣଙ୍କ ବ୍ରହ୍ମପୁରରୁ ଫେରି କରୋନା ଆକ୍ରାନ୍ତ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଘରେ ଭଡାରେ ରହୁଥିଲେ । କଟକଣା ସତ୍ୱେ ସେ ଭଡ଼ାଘରେ ପିଲାଙ୍କୁ ଟ୍ୟୁସନ କରାଉଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ସଂସ୍ପର୍ଶରେ ଆସି ଉକ୍ତ ଶିକ୍ଷକ ଓ ତାଙ୍କ ପତ୍ନୀ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ । ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିଲେ ଛାତ୍ରମାନେ । ଶିକ୍ଷକ ଜଣଙ୍କ କିଭଳି ଟିଉସନ କରୁଥିଲେ, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆକ୍ରାନ୍ତ ଛାତ୍ରମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.