ଦୁଇଭାଗ ହେଲା ପାକିସ୍ତାନ ଟିମ; ବହାବ, ଇମାମ ଓ ବାବରଙ୍କ ଉପରେ ବର୍ଷିଲେ ସରଫରାଜ; କହିଲେ କ୍ୟାପ୍ଟେନ ହେବା ପାଇଁ ଇମାଦ କରୁଛନ୍ତି ଷଡଯନ୍ତ୍ର

Published By : Prameya-News7 Bureau | June 18, 2019 IST

ମା଼ଞ୍ଚେଷ୍ଟର୧୮|୬; ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହେବାପରେ ଏବେ ପାକିସ୍ତାନ କ୍ରିକେଟ ଟିମ ଭାଗ ଭାଗ ହେବାରେ ଲାଗିଛି । କ୍ୟାପଟେନ ସର୍ଫରାଜ ଅହମଦଙ୍କୁ ବାହାର କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ଉଠିଛି । ସୋଏବ ମଲ୍ଲିକ ଏହି ଷଡଯନ୍ତ୍ର ରଚନା କରିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ସୋଏବ ଦଳର ଅନ୍ୟ ଖେଳାଳିଙ୍କୁ ସର୍ଫରାଜଙ୍କ ବିରୋଧରେ ଉସକାଉଥିବା ଚର୍ଚ୍ଚା ହେଉଛି । ଅପରପକ୍ଷରେ ଭାରତଠୁ ପରାସ୍ତ ହେବାପରେ ଅଧିନାୟକ ସର୍ଫରାଜ ଦଳର ଅନ୍ୟ ଖେଳାଳୀଙ୍କ ଉପରେ ପ୍ରଚଣ୍ଡ ବର୍ଷିଥିଲେ । ଆଉ ସେତେବେଳକୁ ଦଳର କୋଚ ଚୁପଚାପ ଠିଆ ହୋଇ ନୀରବ ଦ୍ରଷ୍ଟା ସାଜିଥିଲେ ।  

ଭାରତ ସହ ମ୍ୟାଚ ସରିବାପରେ ଅଧିନାୟକ ସର୍ଫରାଜ ଡ୍ରେସିଂ ରୁମରେ ପହଞ୍ଚିଥିଲେ । ସବୁ ଖେଳଳି ସେଠାରେ ଉପସ୍ଥିତ ଥିଲେ । ଟିମର ମ୍ୟାନେଜର ତଲତ ଅଲ୍ଲୀ, ମୁଖ୍ୟ କୋଚ ମିକି ଅର୍ଥର ଓ ତାଙ୍କ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ପରାଜୟ ପାଇଁ ଦ୍ରୁତ ବୋଲର ବହାବ ରିୟାଜ, ଓପନର ଇମାମ ଉଲ ହକ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ଅଲ ରାଉଣ୍ଡର ଇମାଦ ୱସିମଙ୍କୁ ଦାୟୀ କରିବା ସହ ପ୍ରବଳ ବର୍ଷିଥିଲେ ଅଧିନାୟକ ସରଫରାଜ । ଏହି ଖେଳାଳୀମାନେ ସେମାନଙ୍କ ଦାୟିତ୍ବ ଠିକରେ ନିର୍ବାହ କରିନଥିବା ସର୍ଫରାଜ ଅଭିଯୋଗ କରିଥିଲେ ।  

କେବଳ ସେତିକି ନୁହେଁ ଟିମ ଭିତରେ ଗୋଷ୍ଠୀ ରାଜନୀତି ଚାଲିଥିବା କଥା ମଧ୍ୟ ସରଫରାଜ ଉଠାଇଥିଲେ । ବିଶ୍ବସ୍ଥ ସୂତ୍ରରୁ ପ୍ରକାଶ ଯେ, ଅଧିନାୟକ ହେବା ଲାଗି ଇମାଦ ୱାସିମ ଏହି ଗୋଷ୍ଠୀ ରାଜନୀତି ଓ ଷଡଯନ୍ତ୍ର କରୁଛନ୍ତି ବୋଲି ସର୍ଫରାଜ ଅଭିଯୋଗ କରିଥିଲେ । ଖେଳାଳୀଙ୍କୁ ତାଙ୍କ ବିରୋଧରେ ଉସୁକାଉଥିବା ଗୋଷ୍ଠୀର ଲିଡର ସୋଏବ ବୋଲି ମଧ୍ୟ ସେ କହିଥିଲେ । ସୋଏବ ଭାରତ ବିପକ୍ଷରେ ପ୍ରଥମ ବଲରେ ହିଁ ବୋଲ୍ଡ ହୋଇଯାଇଥିଲେ ।

ସରଫରାଜ କହିଥିଲେ ଯେ, ଭାରତ ବିପକ୍ଷରେ ମ୍ୟଚ ଜିତା ଯାଇପାରିଥାନ୍ତା । କିନ୍ତୁ ପ୍ଲେୟରମାନେ ପରିଶ୍ରମ କଲେ ନାହିଁ । ଏ ସମସ୍ତ ଘଟଣା ଚାଲିଥିବାବେଳେ କୋଚ ଅର୍ଥର ଚୁପଚାପ ଠିଆ ହୋଇଥିଲେ । ଯାହା ବି ମୁହଁ ଖୋଲିଥିଲେ ତାହା କେବଳର ଖେଳର କୌଶଳ ସମ୍ପର୍କରେ ଥିଲା । ଏମିତି ମଧ୍ୟ କୁହାଯାଉଛି ଯେ, ଟିମ ଉପରେ ଟିମର ମ୍ୟାନେଜର ତଲତ ଅଲ୍ଲୀଙ୍କର କୌଣସି ନିୟନ୍ତ୍ରଣ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.