ଅଙ୍କାରା ୩୦।୦୮: ଚୀନ ପରେ ପାକିସ୍ତାନର ଘନିଷ୍ଠ ବନ୍ଧୁ କୁହାଯାଉଥିବା ତୁର୍କୀ ୫୧ ପାକିସ୍ତାନୀ ନାଗରିକଙ୍କୁ ବଳପୂର୍ବକ ନିଜ ଦେଶରୁ ବିତାଡିତ କରିଛି। ଏହି ସବୁ ଲୋକ ବେଆଇନ ଭାବେ ରାଜଧାନୀ ଅଙ୍କାରାରେ ରହୁଥିବା ଅଭିଯୋଗ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଲୋକ ସେଠାରେ ଅନେକ ପ୍ରକାରର ବେଆଇନ ଗତିବିଧିରେ ସଂପୃକ୍ତ ଥିଲେ। ସେମାନଙ୍କୁ ତୁର୍କୀ ଏକ ସ୍ଵତନ୍ତ୍ର ବିମାନ ଜରିଆରେ ଇସଲାମାବାଦା ପଠାଇ ଦେଇଛି।
ରିପୋର୍ଟ ଅନୁଯାୟୀ ତୁର୍କୀର ସଙ୍ଘୀୟ ଯାଞ୍ଚ ଏଜେନ୍ସି(ଏଫଆଇଏ) ଆଣ୍ଟି ହ୍ୟୁମାନ ଟ୍ରାଫିକିଙ୍ଗ ଆଣ୍ଡ ସ୍ମଗଲିଂ ସେଲ୍(ଏଫଆଇଏ)କୁ ୩୩ ଜଣ ଲୋକଙ୍କୁ ହସ୍ତାନ୍ତର କରିଥିଲା। ବାକି ୧୭ ଜଣଙ୍କୁ ପୂର୍ବରୁ ଧରା ଯାଇଥିଲା। ଏହି ଲୋକଙ୍କୁ ଧରି ତୁର୍କୀର ଅଧିକାରୀ ସ୍ଥାନୀୟ ପାକିସ୍ତାନୀ ଦୂତାବାସ ସହ ଯୋଗାଯୋଗ କରିଥିଲେ। ଏହା ପରେ ଏସବୁ ଲୋକ ପାକିସ୍ତାନର ନାଗରିକ ବୋଲି ଚିହ୍ନଟ ହୋଇଥିଲେ। ଏହା ପରେ ସ୍ଵତନ୍ତ୍ର ବିମାନ ଜରିଆରେ ଏହି ଲୋକଙ୍କୁ ଇସଲାମାବାଦ ପଠାଇ ଦିଆଯାଇଛି।
ଏହା ପୂର୍ବରୁ ୨୦୨୦ ଫେବୃଆରୀରେ ମଧ୍ୟ ତୁର୍କୀ ପାକିସ୍ତାନର ୧୧୦ ଲୋକଙ୍କୁ ନିଜ ଦେଶରୁ ବିତାଡିତ କରିଥିଲା। କୁହାଯାଉଛି ଯେ ଏବେ ମଧ୍ୟ ଅନେକ ପାକିସ୍ତାନୀ ତୁର୍କୀ ଜେଲରେ ବନ୍ଦୀ ଅଛନ୍ତି। ସେମାନଙ୍କ ଉପରେ ଅବୈଧ ଭାବେ ତୁର୍କୀରେ ପ୍ରବେଶ କରିବାର ଅଭିଯୋଗ ହୋଇଛି। ଏହା ସହିତ ପାକିସ୍ତାନୀ ନାଗରିକ ନିଶା ଦ୍ରବ୍ୟ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।