ଧରା ପଡିଲା ୪୨୦ଙ୍କ ଖେଳ: ଜେରାରେ ସତ ଓଗାଳିଲେ ଆକାଶ ପାଠକ, ଷ୍ଟାଟସ ଦେଖାଇବାକୁ କରୁଥିଲେ ଜାଲିଆତି, ସହାୟତା କରୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

Published By : Prameya-News7 Bureau | December 04, 2020 IST

ଭୁବନେଶ୍ଵର ୦୪।୧୨:  ଭିଜିଲାନ୍ସର ମାରାଥନ ଜେରାରେ ସତ ଓଗାଳିଲେ ଆକାଶ ପାଠକ । ଟାଟା ମୋଟର୍ସରେ ଚାକିରି କରୁନଥିବା ମାନିବା ସହ ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରୁଥିବା ସ୍ଵୀକାର କରିଛନ୍ତି । ଟାଟା କମ୍ପାନୀରେ ଲୋକଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟକୁ ସ୍ଵୀକାର କରିଥିବା ମଧ୍ୟ ଜଣାପଡ଼ିଛି । ଏମିତିରେ ନିଜ ଭାବି ଜାମାତାଙ୍କୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମିଛ ମଧ୍ୟ ଧରାପଡ଼ିଯାଇଛି । ସେପଟେ ବଲାଙ୍ଗିର ବନ ବିଭାଗରେ ଲକ୍ଷାଧିକ ଟଙ୍କା ହେରଫେରରେ ଆଇଏଏଫଏସ୍ ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ପାଇଛି ଭିଜିଲାନ୍ସ ।

ସାମ୍ନାକୁ ଆସିଲା ମିଷ୍ଟର ଚାର ଶୋ ବିସ୍‌ଙ୍କ ଅସଲ ଚେହେରା । ମାରାଥନ ଜେରାରେ ବାବୁ ପୂରା ସନିପାତ। ଜେରାକୁ ୨ଦିନ ନପୁରୁଣୁ ଭିଜିଲାନ୍ସ ଆଗରେ ସବୁ ସତ ମାନିଗଲେ ଆକାଶ ପାଠକ । ଟାଟା ମୋଟର୍ସରେ ଚାକିରି କରୁନଥିବା ମାନିବା ସହ ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରୁଥିବା ସ୍ଵୀକାର କରିଛନ୍ତି। ନିଜକୁ ଟାଟା କମ୍ପାନୀର ଏମଡି କହି ରୋବାବ୍ ଦେଖାଉଥିଲେ । କେବଳ ସେତିକି ନୁହେଁ ଟାଟା କମ୍ପାନୀରେ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ମାନି ଯାଇଛନ୍ତି ଆକାଶ ପାଠକ ।

ଆକାଶ ପାଠକଙ୍କୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ନିଜ ଭାବି ଜାମାତଙ୍କ ପାଇଁ ଓକିଲାତି କରୁଥିବା ଗୋପାଳପୁର ବିଧାୟକ ବିଭିନ୍ନ ବୟାନକୁ ନେଇ ଉଠିଛି ପ୍ରଶ୍ନ । ଆକାଶ ଟାଟା ମୋଟର୍ସରେ  ଏମଡି ଭାବେ ଚାକିରି କରୁଥିବା ଦାବି କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏମିତି କି ଆକାଶ ଜି=ମ୍ୟାଟ୍ରେ ଟପ୍ପର ହୋଇଥିବା ମଧ୍ୟ କହିଥିଲେ । ଆକାଶଙ୍କ ତରଫଦାରି ଅସଲକାରନାମାକୁ କିନ୍ତୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁରରେ ୬୦ରୁ ଅଧିକ ବିସ୍ଥାପିତଙ୍କୁ ଟାଟାକମ୍ପାନୀରେ ଚାକିରି ଲୋଭ ଦେଖାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ ଆକାଶ । ଆଉ ଏହି କାମରେ ସହାୟତା କରୁଥିଲେ ଭାବି ଶ୍ବଶୂର ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ମତାଇ ଆକାଶଙ୍କ ପକେଟ୍ ଗରମ କରିବାରେ ସାହଯ୍ୟ କରୁଥିଲେ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭିଜିଲାନ୍ସ ପ୍ରଥମେ ଆକାଶ ପାଠକ ଟାଟାରେ ଚାକିରି ନେଇ ଯେଉଁ ସବୁ ଡକ୍ୟୁମେଣ୍ଟସ୍ ଦେଖାଇଥିଲେ ସେସବୁ ଜାଲ ଡକ୍ୟୁମେଣ୍ଟସକୁ ଏଭଳି ତିଆରି କରିଥିଲେ ତାହାକୁ ଦେଖିଲେ ଯେ କେହି ବି ଧୋକାରେ ପଡ଼ିଯିବ । ଟାଟାର ଲୋଗୋ ଏବଂ ଏଚଆର୍ ହେଡ୍‌ଙ୍କ ସିଗନେଚର ଆଉ ଷ୍ଟାମ୍ପ ସବୁ କିଛି ପୂରା ଅରିଜିନାଲ୍ ଭଳି ଲାଗୁଥିଲା । ଏହାକୁ ଦେଖାଇବା ସହ ତାଙ୍କ ବିରୋଧରେ କୌଣସି ମାମଲା ନକରିବାକୁ ଭିଜିଲାନ୍ସକୁ ଅନୁରୋଧ କରିଥିଲେ ଆକାଶ ପାଠକ । କେସ୍ ହେଲେ କୁଆଡ଼େ କମ୍ପାନୀରେ ତାଙ୍କର ପ୍ରମୋସନ ଅଟକିଯିବ ବୋଲି କହିଥିଲେ ।

ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ବାରମ୍ବାର ମିଛ କହିଚାଲିଥିଲେ ଆକାଶ । ହେଲେ ଭିଜିଲାନ୍ସ ଏସଆଇଟିର ମାରାଥନ ଜେରା ଆକାଶଙ୍କୁ ସବୁ ସତ ମାନିବାକୁ ବାଧ୍ୟ କରିଛି । ନିଜ ଷ୍ଟାଟସ, ଅଏସ୍ ଆରାମ୍ ପାଇଁ ଜାଲିଆତି କରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ । ବର୍ତମାନ ସୁଦ୍ଧା ଆକାଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧୬କୋଟି ୫ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ଯେଉଁଥିରୁ ୧୦ଲକ୍ଷ ୭୬ଲକ୍ଷ ଟଙ୍କା ନଗଦ ଡିପୋଜିଟ୍ ହୋଇଛି । ତେବେ ଆକାଶଙ୍କ ଆକାଉଣ୍ଟକୁ ପୁଳା ପୁଳା ଟଙ୍କା କେଉଁଠୁ ଆସୁଥିଲା ତାର ତଦନ୍ତ କରିବ ପ୍ରବର୍ତନ ନିର୍ଦେଶାଳୟ ।

ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆକାଶଙ୍କ ବାପା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଗୁମର ମଧ୍ୟ ଖୋଲିବାରେ ଲାଗିଛି । ବଲାଙ୍ଗିରରେ ବନ ବିଭାଗର ଅନେକ ଅଧିକାରୀ ଅଭୟ ପାଠକଙ୍କ ଲିଙ୍କ୍ରେ ଥିବା ବେଳେ କେନ୍ଦୁପତ୍ର ଫଡ଼ି, ବନୀକରଣ ଓ କେନ୍ଦୁପତ୍ର ଫଡ଼ି ପୋଡ଼ି ମାମଲାରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବାର ପ୍ରମାଣ ଲାଗିଛି ଭିଜିଲାନ୍ସ ଏସଆଇଟି ହାତରେ । ୨୦୧୪ରୁ ୨୦୧୭ ମସିହା ଭିତରେ ଏସବୁ  ହେରଫେର ହୋଇଥିବା ଜଣାପଡ଼ିଛି । ତେବେ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ଲମ୍ବା ତାଲିକା ପ୍ରସ୍ତୁ କରୁଛି ଏସଆଇଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.