ସୋସିଆଲ ମିଡ଼ିଆରେ ମଣିଷ ମାଂସ ଖିଆ ଛୁଆ: ଜାଣନ୍ତୁ ଘଟଣା ପଛର ପୁରା କାହାଣୀ

Published By : Prameya-News7 Bureau | November 22, 2018 IST

ଏକ ଗୁଲୁଗୁଲିଆ ବର୍ଷିକିଆ ଛୁଆ ମଣିଷ ମାଂସ ଖାଉଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ମଧ୍ୟ | ସତରେ କଣ ବର୍ଷକର ଗୋଟେ ଛୁଆ ମଣିଷ ମାଂସ ଏବଂ ରକ୍ତ ଖାଇପାରେ କି ? ଯଦି ସତ ତାହେଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଓ ଉଦବେଗଜନକ | ଆଉ ଯଦି ନୁହେଁ, ତାହେଲେ ଏମିତି କିଏ ଓ କାହିଁକି କରିଛି ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ | ତେବେ ଘଟଣାର ସତ୍ୟାସତ୍ୟ ଏବେ ସାମ୍ନାକୁ ଆସିଛି | ଯାହା ଜାଣିଲେ ଆପଣ ମଧ୍ୟ ତାଯୁବ ହୋଇଯିବେ | ଅଷ୍ଟ୍ରେଲିଆର ଲୁଇସ ନାମକ ଜଣେ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ନିର୍ଦ୍ଧାରିତ ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ତାଙ୍କର ସନ୍ତାନ ପ୍ରସବ ହେଉନଥିଲା | ଡାକ୍ତରମାନେ ଅପରେସନ କରି ଛୁଆଟିକୁ ପେଟରୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ | ତେବେ ଦିନକୁ ଏଭଳି ଶହ ଶହ ଅପରେସନ କରି ସନ୍ତାନ ପ୍ରସବ କରାଉଥିବା ଡାକ୍ତରମାନେ ଏହି ଅପରେସନ କରିବାବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ | ସହଜରେ ପିଲାଟିକୁ ମା ପେଟ ଭିତରୁ ବାହାର କରିପାରିନଥିଲେ | ଏଥିପାଇଁ ଡାକ୍ତରମାନଙ୍କୁ ବେଶ କିଛି ସମୟ ନାକେଦମ ହେବାକୁ ପଡିଥିଲା | ଦୀର୍ଘ ସମୟର ଅପରେସନ ପରେ ଡାକ୍ତରମାନେ ଛୁଆଟିକୁ ମା ପେଟରୁ ବାହାର କରିଥିଲେ ସିନା ପିଲାଟିର ନିଶ୍ୱାସ ପ୍ରଶ୍ୱାସ ଚାଲୁନଥିଲା କି କନ୍ଦାକନ୍ଦି ମଧ୍ୟ କରୁନଥିଲା | ଫଳରେ ପିଲାଟିର ବଂଚିବା ଆଶା କ୍ଷୀଣ ବୋଲି ଲୁଇସଙ୍କୁ ଡାକ୍ତରମାନେ କହିଥିଲେ | ପ୍ରଥମ ସନ୍ତାନ ହୋଇଥିବାରୁ ଲୁଇସ ପ୍ରଥମେ ଭାଙ୍ଗି ପଡ଼ିଥିଲେ | ଲୁଇସଙ୍କ ସ୍ୱାମୀ ମଧ୍ୟ ଗଭୀର ଦୁଃଖ କରିଥିଲେ | ଶେଷରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ | ହେଲେ ଲୁଇସ ଓ ତାଙ୍କ ସ୍ୱାମୀ ଏଥିରେ ଜମା ଭାଙ୍ଗିନଯାଇ ଛୁଆଟି ପୁଣି ନିଶ୍ଚୟ ବଞ୍ଚିବ ବୋଲି ମନରେ ଦୃଢ ଆଶା ରଖିଥିଲେ | ମୃତ ଶିଶୁଟି ପାଖରେ ବସି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ | ସତକୁ ସତ ମାତ୍ର କେଇ ମିନିଟ ଭିତରେ ଛୁଆଟିର ଶ୍ୱାସ ପ୍ରଶ୍ୱାସ ଚାଲିଥିଲା | ଡାକ୍ତରମାନେ ଖୁସି ହୋଇ ଛୁଆର ଆବଶ୍ୟକୀୟ ଚିକିତ୍ସା କରିଥିଲେ | ଛୁଆଟି ସମ୍ପୂର୍ଣ ସୁସ୍ଥ ହେବାପରେ ଲୁଇସ ଯେତେବେଳେ ପ୍ରଥମ କରି ତାକୁ କୋଳକୁ ନେଇଥିଲେ ସେତେବେଳେ ତାଙ୍କ ଭିତରେ ଏକ ଅଦ୍ଭୁତ ଭାବଧାରା ସୃଷ୍ଟି ହୋଇଥିଲା | ଛୁଆକୁ ନେଇ ଲୁଇସ ସବୁବେଳେ ଏକ ଅଲୌକିକତା ଅନୁଭବ କରି ଆସୁଥିଲେ | ଇତି ମଧ୍ୟରେ ଛୁଆକୁ ବର୍ଷେ ପୂରିବାକୁ ବସିଥିଲା | ଯେଉଁ ଛୁଆ ମରିଯାଇଥିଲା ବୋଲି ଡାକ୍ତରମାନେ ଘୋଷଣା କରିବାପରେ ସେ ବଂଚିଗଲା ସେ ଛୁଆ ନିଶ୍ଚୟ କିଛି ନା କିଛି ସ୍ୱତନ୍ତ୍ର ଓ ସ୍ୱତନ୍ତ୍ର ଶକ୍ତିର ଅଧିକାରୀ | ତେଣୁ ତାର ପ୍ରଥମ ଜନ୍ମଦିନ ମଧ୍ୟ ନିଆରା ତଥା ସ୍ୱତନ୍ତ୍ର ଶୈଳୀରେ କରିବା ପାଇଁ ଲୁଇସ ଚିନ୍ତା କରୁଥିଲେ | ଲୁଇସ ଭାବିଲେ ଅଲୌକିକ ଘଟଣା ସହିତ ଜଡିତ ତାଙ୍କ ପୁଅର ଜନ୍ମଦିନ ଏକ 'ଭୟାନକ ଥିମ'ର ଫଟୋସୁଟ ମାଧ୍ୟମରେ କରିବା ଉଚିତ ହେବ | ସେଥିପାଇଁ ଜଣେ ସୃଜନଶୀଳ ଫଟୋଗ୍ରାଫରକୁ ଡାକି ମଣିଷ ମାଂସ ଖାଉଥିବା ଭଳି ଢଙ୍ଗରେ ପୁଅର ଫଟୋସୁଟ କରାଇଥିଲେ ଲୁଇସ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.