ହିତାହିତ ଜ୍ଞାନ ଭୁଲିଲେଣି ଟ୍ରମ୍ପ, କରିପାରନ୍ତି ପରମାଣୁ ଆକ୍ରମଣ ! ସ୍ପିକର୍ ନାନ୍ସୀ ପେଲୋସୀଙ୍କ ଆଶଙ୍କା

Published By : Prameya-News7 Bureau | January 10, 2021 IST

ଓ୍ୱାଶିଂଟନ,୧୦/୦୧:  ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡ ପରେ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମୁହଁ ଖୋଲିଛି । ସଂସଦର ସ୍ପିକର୍ ନାନ୍ସୀ ପେଲୋସୀ ଟ୍ରମ୍ପ ଆଣବିକ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି । ଏହାସହ ଟ୍ରମ୍ପ ତୁରନ୍ତ ନିଜ ପଦ ଛାଡନ୍ତୁ ବୋଲି ସେ ଦାବି କରିଛନ୍ତି ।

ନାନ୍ସୀ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ଆମେରିକା ସେନାର ଯୁଗ୍ମ ମୁଖ୍ୟ ମାର୍କଙ୍କ ସହ କଥା ହୋଇଛନ୍ତି । ତାଙ୍କୁ ଟ୍ରମ୍ପଙ୍କ ପରମାଣୁ ଆକ୍ରମଣ ନିର୍ଦ୍ଦେଶକୁ ଦୂରରେ ରହିବାକୁ କୁହାଯାଇଛି । ଏନେଇ ସେ ଡେମୋକ୍ରାଟିକ୍ ସାଂସଦଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଏହାସହ ନ୍ୟୁକ୍ଲିଅର କୋଡକୁ ନେଇ ସତର୍କ କରାଇଛନ୍ତି । ନ୍ୟୁକ୍ଲିଅର କୋଡ୍ ସାହାଯ୍ୟରେ ହିଁ ଆମେରିକା ରାଷ୍ଟ୍ରପତି ପରମାଣୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ନାନ୍ସୀ ଆହୁରି କହିଛନ୍ତି ଯେ, ଟ୍ରମ୍ପଙ୍କ ମୁଣ୍ଡ ଅସ୍ଥିର ରହିଛି । ସେ ମାରାତ୍ମକ ପାଲଟି ପାରନ୍ତି । ଦେଶ ଓ ଲୋକତନ୍ତ୍ରକୁ ରକ୍ଷାକରିବା ପାଇଁ ଯାହା ଦରକାର ସେ କରିବେ ବୋଲି ନାନ୍ସୀ କହିଛନ୍ତି। ଏହାସହ ଟ୍ରମ୍ପ ଅତିଶୀଘ୍ର ନିଜ ପଦରୁ ହଟିଯାଆନ୍ତୁ ବୋଲି ସେ ଦାବି କରିଛନ୍ତି । ଯଦି ଟ୍ରମ୍ପ ନିଜ ଇଚ୍ଛାରେ ନହଟନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦ ବର୍ଷ ତଳେ ପୂର୍ବତନ ରାଷ୍ଟ୍ରପତି ନିକ୍ସନଙ୍କ ସହ ମଧ୍ୟ କିଛି ଏପରି ହୋଇଥିଲା । ସେ ରାଜଦ୍ରୋହ କାମ କରିଥିଲେ ।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ରେ ଶେଷ ହେବ । ଏହି ଦିନ ଜୋ ବାଇଡେନ୍ ନୂତନ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବେ । ଏତତ୍ ବ୍ୟତୀତ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ଶୁକ୍ରବାର ଡେମୋକ୍ରାଟିକ୍ ସାଂସଦମାନେ ବୈଠକ କରିଥିଲେ । ଯେଉଁଥିରେ ନାନ୍ସୀ ପରମାଣୁ ଆକ୍ରମଣ କଥା ଉଲ୍ଲେଖ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.