ଆମେରିକା ସାଇବର ଆକ୍ରମଣକୁ ନେଇ ଆସିଲା ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ ରହିଛି ଚୀନ୍ ହାତ
20/12/2020 at 9:01 PM

ୱାସିଂଟନ: ଆମେରିକା ଶତାବ୍ଦୀର ସବୁଠୁ ବଡ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିବା ଚର୍ଚ୍ଚା ହେଉଛି। ସାଇବର ହ୍ୟାରମାନେ ଦେଶର ସଂଘୀୟ ବ୍ୟବସ୍ଥାରେ ସିନ୍ଧି କରିଛନ୍ତି। ଏଥିପାଇଁ ସେକ୍ରେଟାରୀ ଅଫ ଷ୍ଟେଟ୍ ମାଇକ୍ ପମ୍ପେୟୋ ଋଷୀୟ ହ୍ୟାକରଙ୍କ ହାଥ ନେଇ ସନ୍ଦେହ କରିଥିଲେ। ତେବେ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରୁଥିବା ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏପରି ଆକ୍ରମଣ ପଛରେ ଚୀନ୍ ସାଇବର ଆକ୍ରମଣକାରୀଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।
ମାମଲାରେ ଟ୍ରମ୍ପ ଶନିବାର ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସାଇବର ହ୍ୟାକ୍ ନେଇ ବାସ୍ତବିକତା ବଦଳେ ଗଣମାଧ୍ୟମରେ ଗୁଜବର ପରିମାଣ ବେଶ ବଡ ବୋଲି କହିଛନ୍ତି। ତାଙ୍କୁ ମିଳୁଥିବା ସୂଚନାରେ ସବୁକିଛି ଠିକ୍ ଠାକ୍ ଥିବା କୁହାଯାଇଛି ଓ ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି ଉଲ୍ଲେଖ କରିଛନ୍ତି। ତେବେ ଯାହା ଅନିୟନ୍ତ୍ରିତ ତାହା ହେଉଛି ଗୁଜବ। ମିଡିଆରେ ଚୀନ୍ର ପ୍ରଭାବ ଏପରି ଅବାନ୍ତର ପ୍ରଚାର ଚଳାଇଥିବା ସେ ଉଲ୍ଲେଖ କରିଛନ୍ତି। କାରଣ ପ୍ରସଙ୍ଗରେ ମିଡିଆ ଚୀନ୍ କଥା ଭାବିବାକୁ ଡରୁଛନ୍ତି।
ତେବେ ଟ୍ରମ୍ପଙ୍କ ପୂର୍ବରୁ ସେକ୍ରେଟାରୀ ଅଫ ଷ୍ଟେଟ୍ ପମ୍ପେୟୋ ଆମେରିକା ଉପରେ ସବୁଠୁ ବଡ ସାଇବର ଆକ୍ରମଣ ହୋଇଥିବା କହିଥିଲେ ଓ ଏହା ପଛରେ ଋଷୀୟ ଆକ୍ରମଣକାରୀଙ୍କ ହାତ ଥିବାର ସେ ସନ୍ଦେହ କରିଥିଲେ। ତେବେ ହ୍ୟାକରଙ୍କ ଉଦ୍ଦେଶ୍ୟ କଣ ତାହା ସେ ଜାଣିନଥିବା କହିଥିଲେ। ତେବେ ବିଶେଷଜ୍ଞମାନେ ହ୍ୟାକରଙ୍କ ଉଦ୍ଦେଶ୍ୟ ହୁଏତ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ରର ରହସ୍ୟ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଡିଜାଇନ, କୋଭିଡ-୧୯ ଟିକା ସମ୍ପର୍କିତ ଗବେଷଣା ଲବ୍ଧ ତଥ୍ୟ ସାଙ୍ଗକୁ ବଡ ନେତା ଓ ଉଦ୍ୟୋଗପତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ହୁଏତ ଏପରି ଆକ୍ରମଣ ହୋଇଥାଇ ପାରେ ବୋଲି କହିଛନ୍ତି।

ତେବେ ହ୍ୱାଇଟ୍ ହାଉସ୍ ସାଇବର ଆକ୍ରମଣ ନେଇ ଶନିବାର ମଧ୍ୟାହ୍ନରେ ବିବୃତ୍ତି ଜାରି କରିବାର ଥିଲା ବୋଲି ଏକ ସୂତ୍ରରୁ ଜଣାପଡିଛି। ତେବେ ଚୂଡାନ୍ତ ପର୍ଯ୍ୟାୟରେ ଏହାକୁ ରୋକି ଦିଆଯାଇଥିଲା। ତେବେ ଚୀନ୍କୁ ନେଇ ଟ୍ରମ୍ପ ଦେଇଥିବା ବୟାନ ନେଇ ହ୍ୱାଇଟ୍ ହାଉସ୍ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତିକି ପମ୍ପେୟୋଙ୍କ ଋଷ ବିବୃତ୍ତି ସମ୍ପର୍କରେ ପ୍ରତିକ୍ରିୟା ଦିଆଯାଇନାହିଁ।