ୱାଶିଂଟନ୍ରେ ରିପବ୍ଲିକାନ୍ଙ୍କ ହିଂସା ପରେ ଟ୍ରମ୍ପଙ୍କୁ ବ୍ରେକ୍ ଦେଲେ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ, ୧୨ ଓ ୨୪ ଘଣ୍ଚିଆ ବନ୍ଦ
7/01/2021 at 2:06 PM

ୱାଶିଂଟନ୍,୦୭/୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର୍, ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଗତ ବୁଧବାର ଆମେରିକାରେ ହେଇଥିବା ହଙ୍ଗାମା କାରଣରୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି। ୱାସିଂଟନ୍ ଡିସିରେ ଏବେ ଚାଲିଥିବା ଭିତ୍ତିହୀନ ଆନ୍ଦୋଳନକୁ ଏଡ଼ାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରାଯାଇଛି।
ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ରାଷ୍ଟ୍ରପତି ଶପଥ ଗ୍ରହଣକୁ ବିରୋଧ କରି ଟ୍ରମ୍ପଙ୍କ ସମର୍ଥକ ହଙ୍ଗାମା କରିଛନ୍ତି। ଗତ ବୁଧବାର ଟ୍ରମ୍ପ ଟ୍ୱିଟ୍ କରି କ୍ୟାପିଟୋଲ୍ ବିଲ୍ଡିଂ ଉପରେ କରାଯାଇଥିବା ଆକ୍ରମଣକୁ ସମର୍ଥନ କରିଥିଲେ। ଏଥିସହ ନିର୍ବାଚନରେ ଅନିୟମିତତାକୁ ନେଇ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଚୁପ୍ ରିହିଥିବା କାରଣରୁ ତାଙ୍କୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି। ସେହିପରି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଟ୍ୱିଟର୍ ଟ୍ରମ୍ପଙ୍କର ୩ଟି ଟ୍ୱିଟ୍ ଏବଂ ଗୋଟିଏ ଭିଡିଓକୁ ଡିଲିଟ୍ କରିବାକୁ ବାଧ୍ୟ ହେବା ସହ ତାଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ମଧ୍ୟ ସେ ଜାରି କରିଥିବା ଭିଡିଓକୁ ଡିଲିଟ୍ କରିଦେବା ସହ ତାଙ୍କ ପେଜ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ଇନଷ୍ଟାଗ୍ରାମ ମଧ୍ୟ ସମାନ ଆକ୍ସନ ନେଇଛି।
ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ନିର୍ବାଚନ ହାରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସମର୍ଥକ। ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ ଆଣୁଛନ୍ତି । ଏ ନେଇ ହ୍ୱାଇଟ ହାଉସ ଓ କ୍ୟାପିଟୋଲ୍ ବିଲ୍ଡିଂ ଆଗରେ ସେମାନେ ଧାରଣା ଦେଇଛନ୍ତି । ଉଭୟ ସ୍ଥଳରେ ପୋଲିସ ସହ ଧସ୍ତାଧସ୍ତି ହେବାର ମଧ୍ୟ ଖବର ରହିଛି । ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାସିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସମୁଦାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।