ଟ୍ରମ୍ପଙ୍କ ଚେତାବନୀ : ଆମେରିକାରେ ହିଂସା ପ୍ରଦର୍ଶନ ରୋକିବା ପାଇଁ ସେନା ନିୟୋଜିତ କରିବାକୁ ଧମକ୍

Published By : Prameya-News7 Bureau | June 02, 2020 IST

ୱାସିଂଟନ ୦୨/୦୬ : ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲାଏଡ଼ଙ୍କ ମୃତ୍ୟୁ ବିରୋଧରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନକୁ ରୋକିବା ପାଇଁ ସେନା ନିୟୋଜିତ କରିବାକୁ ଧମକ ଦେଇଛନ୍ତି | ହିଂସା ରୋକିବା ପାଇଁ ରାଜ୍ୟ କିମ୍ବା ସହର କୌଣସି ପଦକ୍ଷେପ ନେଉନଥିବାରୁ ଟ୍ରମ୍ପ ସେନା ନିୟୋଜିତ କରିବାକୁ ଧମକ ଦେଇଛନ୍ତି | ହ୍ୱାଇଟ ହାଉସ ରୋଜ ଗାର୍ଡେନରେ ରାଷ୍ଟ୍ରକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ ଫ୍ଲାଏଡ଼ଙ୍କ ମୃତ୍ୟୁକୁ ନେଇ ସମସ୍ତ ଆମେରିକାବାସୀ ଦୁଃଖିତ ଏବଂ ଏହାକୁ ବିରୋଧ କରୁଛନ୍ତି | ଏହି ମାମଲାରେ ପୀଡିତଙ୍କୁ ନ୍ୟାୟ ମିଳୁ ବୋଲି ମଧ୍ୟ ସମସ୍ତେ ଚାହୁଁଛନ୍ତି |  

ଫ୍ଲାଏଡ଼ଙ୍କ ମୃତ୍ୟୁ ବିରୋଧରେ ହିଂସା ପ୍ରଦର୍ଶନ ନିଆଁ ଆମେରିକାର ୧୪୦ ସହରକୁ ବ୍ୟାପି ସାରିଛି | ଗତ କିଛି ଦଶକରେ ଏହାକୁ ଦେଶର ସବୁଠାରୁ ଖରାପ ନାଗରିକ ଅଶାନ୍ତି ବୋଲି କୁହାଯାଉଛି | ଟ୍ରମ୍ପ ରାଷ୍ଟ୍ରକୁ ଆଶ୍ୱାସନା ଦେଇଛନ୍ତି ଯେ ସେ ହିଂସାକୁ ରୋକିବା ପାଇଁ ଏବଂ ଆମେରିକାରେ ସୁରକ୍ଷା ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛନ୍ତି | ଟ୍ରମ୍ପ କହିଛନ୍ତି ଯେ ସେ ବର୍ବାଦି ରୋକିବା ପାଇଁ, ଦଙ୍ଗା ଓ ଲୁଟପାଟକୁ ରୋକିବା ତଥା ଆଇନ ପାଳନ କରୁଥିବା ଦେଶବାସୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉପଲବ୍ଧ ସରକାରୀ ସଂସ୍ଥା, ନାଗରିକ ଓ ସେନା ଯୋଗାଡ କରିଛନ୍ତି |

ସେ ଚେତାବନୀ ଦେଇଛନ୍ତି ଯେ, 'ମୁଁ ପ୍ରତ୍ୟେକ ରାଜ୍ୟପାଳଙ୍କୁ ସଡକରେ ପର୍ଯ୍ୟାପ୍ତ ନ୍ୟାସନାଲ ଗାର୍ଡ ନିୟୋଜିତ କରିବାକୁ ପରାମର୍ଶ ଦେଉଛି | ହିଂସା ଶେଷ ହେବା ଯାଏଁ ସମସ୍ତ ରାଜ୍ୟପାଳ ଓ ମେୟରଙ୍କୁ ଆଇନ ପ୍ରବର୍ତନ ଏଜେନ୍ସି କିମ୍ବା ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ହେବ |'

ଯଦି କୌଣସି ସହର କିମ୍ବା ରାଜ୍ୟ ନିଜ ବାସିନ୍ଦାଙ୍କ ଜନଜୀବନ ରକ୍ଷା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅସ୍ବୀକାର କରନ୍ତି ତାହେଲେ ସେ ଆମେରିକୀୟ ସେନା ନିୟୋଜିତ କରିବେ ବୋଲି କହିଛନ୍ତି | ହିଂସା ରୋକିବାରେ ବିଫଳ ହେବାରୁ ନ୍ୟୁୟର୍କରେ ସୋମବାର ରାତିରେ କର୍ଫ୍ୟୁ ଜାରି କରାଯାଇଥିଲା | ଦେଶର ଅନ୍ୟ ସହର ଭଳି ନ୍ୟୁୟର୍କରେ ମଧ୍ୟ ରାତି ୧୧ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ | କର୍ଫ୍ୟୁ ଲାଗୁ କରିବା ସମୟରେ ଗୁଳି ଚାଳନା ହୋଇଥିଲା |  ଗୁଳି ଚାଳନା ସମୟରେ ବଡ଼ି କ୍ୟାମେରା ଚାଲୁ ରଖିବାରେ ବିଫଳ ହୋଇଥିବା ଜଣେ ପୋଲିସଙ୍କୁ ବରଖାସ୍ତ କରାଯାଇଛି | ଗୁଳି ଚାଳନାରେ ଏକ ପ୍ରସିଦ୍ଧ ବାର୍ବିକ୍ୟୁ ମାଲିକଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.