ପୁଣି ଚର୍ଚ୍ଚାରେ ଟ୍ରମ୍ପ: କହିଲେ- ବିଡେନ୍‌ ଜିତିଲେ ହୁଏତ ଦେଶ ଛାଡ଼ିବାକୁ ପଡ଼ିପାରେ

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଳୀ ୧୭/୧୦: ନଭେମ୍ବର ୩ରେ ଆମେରିକା ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି। ଜର୍ଜିଆର ଏକ ରାଲିରେ ଯୋଗ ଦେଇ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ତାଙ୍କୁ ପୁଣି ଚର୍ଚ୍ଚାର କେନ୍ଦ୍ରକୁ ଟାଣିଛି। ପୂର୍ବରୁ ସେ ହାରିଗଲେ ଚୀନ ଆମେରିକାକୁ କବ୍‌ଜା କରିନେବ ବୋଲି କହିଥିଲେ ଟ୍ରମ୍ପ। ଶୁକ୍ରବାର ଜର୍ଜିଆର ଆୟୋଜିତ ରାଲିରେ ଟ୍ରମ୍ପ କହିଛନ୍ତି,  ନିର୍ବାଚନରେ ହାରିଲେ ଦେଶ ଛାଡ଼ିବାକୁ ପଡ଼ିପାରେ। ନିର୍ବାଚନରେ ଜୋ ବିଡେନ୍‌ ବିଜୟୀ ହେଲେ ମୋତେ ବୋଧହୁଏ ଦେଶ ଛାଡ଼ିବାକୁ ପଡ଼ିବ ବୋଲି ଟ୍ରମ୍ପ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ବିଡେନ୍‌ଙ୍କୁ ଟ୍ରମ୍ପ ଭୟ କରିବାର ଅନେକ କାରଣ ରହିଛି। ବିଶେ​‌ଷ କାରଣ ହେଉଛି ୭୦ ପ୍ରତିଶତରୁ ଅଧିକ ଭାରତୀୟ ଆମେରିକୀୟ ଏବେ ବିଡେନଙ୍କ ସପକ୍ଷରେ ଭୋଟ୍‌ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପଟେ ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହ୍ୟାରିସ୍‌  ଭାରତୀୟ ଆମେରିକୀୟଙ୍କୁ ଡେମୋକ୍ରେଟିକ୍‌ ସମର୍ଥନରେ ଆସିବାକୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଭାରତୀୟ ଖାଦ୍ୟକୁ ନେଇ ପୋଷ୍ଟ କରୁଥିବା ବେଳେ ଭାରତୀୟ ଆମେରିକୀୟଙ୍କ ମନ ପରିବର୍ତ୍ତନରେ କମଳା ହ୍ୟାରିସ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ବିଡେନ୍‌ଙ୍କ ପ୍ରତି ଟ୍ରମ୍ପଙ୍କ ଭୟର ଆଉ ଏକ କାରଣ ହେଉଛି, ଯେ ନିଜର ପ୍ରତିଯୋଗୀ ଭାବେ ବିଡେନଙ୍କୁ ପସନ୍ଦ କରୁନାହାନ୍ତି । ବିଭିନ୍ନ ରାଲିରେ ବିଡେନଙ୍କୁ ବିପକ୍ଷରେ ନିର୍ବାଚନ ଲଢ଼ୁଥିବାରୁ ନିଜକୁ ଖରାପ ଲାଗୁଥିବା କହୁଛନ୍ତି ଟ୍ରମ୍ପ। ଯଦି ଏଭଳି ପରିସ୍ଥିତିରେ ବିଡେନଙ୍କ ଠାରୁ ହାରିବେ ଟ୍ରମ୍ପ, ତେବେ ତାଙ୍କ ସମ୍ମାନହାନୀ ହେବ । ସେଥିପାଇଁ ସେ ଦେଶ ଛାଡ଼ିବାର ଧମକ ଦେଉଥିବା ଜଣାପଡ଼ିଛି। ଏହା ପ୍ରଥମ ଥର ହୋଇନି ଯେ ଟ୍ରମ୍ପ ଧମକ ଦେଇଛନ୍ତି। ପୂର୍ବରୁ ୨୦୧୬ ନିର୍ବାଚନ ପ୍ରଚାର ସମୟରେ ସେ କହିଥିଲେ, ରାଷ୍ଟ୍ରପତି ପଦ ପାଇଁ ଯଦି ରିପବ୍ଲିକାନ୍‌ର ନାମାଙ୍କନ ହରାଇ ଦିଅନ୍ତି ତେବେ ସେ ଆଉ ସାଧାରଣରେ ନଜର ଆସବେନି। ତେବେ ଜର୍ଜିଆରେ ଆୟୋଜିତ ରାଲିରେ ଲକ୍ ଅପ୍‌ ବିଡେନ୍‌ ଓ ଲକ୍‌ ଅପ୍‌ ହିଲାରୀ ନାରା ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.