WHO ଉପରେ ବର୍ଷିଲେ ଟ୍ରମ୍ପ : ୩୦ ଦିନ ଭିତରେ ଚୀନ୍ ବିରୋଧରେ କୌଣସି ପଦକ୍ଷେପ ନ ନେଲେ ବିଲକୁଲ୍ ଫଣ୍ଡ୍ ଦେବେନି

Published By : Prameya-News7 Bureau | May 19, 2020 IST

ୱାସିଂଟନ ୧୯/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ.ଟେଡ୍ରୋସ ଗ୍ରେବିୟେସିସଙ୍କୁ ଏକ ପତ୍ର ଲେଖିଛନ୍ତି | ବିଶ୍ୱ ମହାମାରୀ କରୋନା ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ପକ୍ଷ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି | ମଙ୍ଗଳବାର ସକାଳେ ଟ୍ରମ୍ପ ଚିଠିକୁ ଟ୍ୱିଟ କରିଛନ୍ତି | ଚିଠିରେ ଟ୍ରମ୍ପ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିଲା | ଚୀନର ବୁହାନରେ ୨୦୧୯ ଡିସେମ୍ବରରେ କରୋନା ପ୍ରଥମେ ପାଦ ଥାପିଥିଲା | କିନ୍ତୁ କରୋନା ସଂକ୍ରମଣ ନେଇ ସଂଗଠନ କୌଣସି ସୂଚନା ଦେଇନଥଲା | ସଂଗଠନ ଲଗାତାର ରିପୋର୍ଟକୁ ନଜର ଅନ୍ଦାଜ କରିଥିଲା | ଚୀନ ସରକାରଙ୍କ ତଥ୍ୟ ଅନୁସନ୍ଧାନ କରିବାରେ ବ୍ୟକ୍ତିଗତ ଭାବେ ସଂଗଠନ ବିଫଳ ହୋଇଥିଲା ବୋଲି ସେ କହିଛନ୍ତି | ଡିସେମ୍ବର ୩୦ ତାରିଖ ସୁଦ୍ଧା ସଂଗଠନ ଏହି ଭୟାବହ ମହାମାରୀ ସମ୍ପର୍କରେ ଜାଣିଥିଲା ଏବଂ ତାଇୱାନ ଅଥୋରିଟି ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି | ତଥାପି ସଂଗଠନ ଏହି ତଥ୍ୟ ସମ୍ପର୍କରେ ନ ଜଣାଇ ଚୁପ ରହିଥିଲା | ତେବେ ଏହା ପଛରେ ନିଶ୍ଚୟ କିଛି ରାଜନୈତିକ କାରଣ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି |

ସଂଗଠନ ଚୀନ ପ୍ରତି ପକ୍ଷପାତ କରିଥିବା ସେ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ | ଚୀନର ନିର୍ଦେଶାନୁସାରେ ସଂଗଠନ ମହାମାରୀ ସମ୍ପର୍କରେ ବିଳମ୍ବରେ ସୂଚନା ଦେଇଥିଲା |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କୁ ଟ୍ରମ୍ପ ସିଧା ସଳଖ ଟାର୍ଗେଟ କରି ଚିଠିରେ ଲେଖିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ବିଭିନ୍ନ ମହାନିର୍ଦେଶକଙ୍କ ନିର୍ଦେଶାନୁସାରେ ସଂଗଠନ ଦର୍ଶାଇଥିଲା ଯେ ଏହା ପାଇଁ କେତେ ଦେବାକୁ ହେବ | କରୋନା ମହାମାରୀ ସ୍ଥିତିକୁ ନେଇ ସଂଗଠନ ତରଫରୁ ବହୁତ ବଡ ଭୁଲ ହୋଇଛି ଏବଂ ଏହି ଭୁଲ ପାଇଁ ବର୍ତ୍ତମାନ ସାରା ବିଶ୍ୱକୁ ବହୁତ ମହଙ୍ଗା ପଡିଛି ବୋଲି ଟ୍ରମ୍ପ କହିଛନ୍ତି | ସଂଗଠନ ପାଇଁ ଏକମାତ୍ର ଉପାୟ ହେଉଛି ଯଦି ଏହା ପ୍ରକୃତରେ ଚୀନ୍ ଠାରୁ ସ୍ୱାଧୀନତା ପ୍ରଦର୍ଶନ କରିପାରିବ ବୋଲି ଶେଷରେ ଟ୍ରମ୍ପ କହିଛନ୍ତି | ”

ଟ୍ରମ୍ପ ଖୋଲାଖୋଲି ଭାବେ ସଂଗଠନ ମୁଖ୍ୟଙ୍କୁ ଧମକ ଦେଇଛନ୍ତି | ଆସନ୍ତା ୩୦ ଦିନ ମଧ୍ୟରେ ସଂଗଠନ କୌଣସି ଦୃଢ ପଦକ୍ଷେପ ନ ନେଲେ ଆମେରିକା ନିଜର ଫଣ୍ଡିଙ୍ଗ ସ୍ଥାୟୀ ରୂପେ ବନ୍ଦ କରିଦେବା ବୋଲି ଟ୍ରମ୍ପ ଧମକ ଦେଇଛନ୍ତି | ନିଜର ସଦସ୍ୟତା ଉପରେ ପୁନର୍ବିଚାର କରିବାକୁ କହିଛନ୍ତି | କରୋନା ଭାଇରସ ଆମେରିକା ଉପରେ ବହୁତ ପ୍ରଭାବ ପକାଇଛି | ସାରା ବିଶ୍ୱରେ କାୟା ମେଲାଇଥିବା କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବ୍ୟବହାର ପ୍ରତି ଟ୍ରମ୍ପ ଅଭିଯୋଗ କରିଛନ୍ତି |

ଏହାପୂର୍ବରୁ ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଜାତିସଂଘ ସ୍ୱାସ୍ଥ୍ୟ ଟିମକୁ ଚୀନର 'ପପେଟ' ବୋଲି କହିଥିଲେ | ସଂଗଠନ ଚାଇନା କେନ୍ଦ୍ରିକ ଏବଂ ଚୀନ ସହ ନିଜ ସମ୍ପର୍କ ଭଲ ରଖେ ବୋଲି ସେ କହିଥିଲେ | ତେବେ ସଂଗଠନ ଭଲ କାମ କରିନାହିଁ | ଆମେରିକା ପ୍ରତିବର୍ଷ ୪୫୦ ମିଲିୟନ ଡଲାର ଦେଇଥିବାବେଳେ ଚୀନ ବର୍ଷକୁ ୩୮ ମିଲିୟନ ଡଲାର ଦେଇଥାଏ | ତଥାପି ସଂଗଠନ ଚୀନକୁ କାହିଁକି ଏତେ ସହଯୋଗ କରୁଛି ସେନେଇ ଟ୍ରମ୍ପ ପ୍ରଶ୍ନ କରିଛନ୍ତି |

କରୋନା ଭାଇରସ ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି ଏବଂ ଆଗକୁ ଆହୁରି ଅନେକ ଲୋକ ପ୍ରାଣ ହରାଇପାରନ୍ତି ବୋଲି ସେ କହିଛନ୍ତି | ତେବେ ମହାମାରୀ ସମ୍ପର୍କରେ ଜାଣି ମଧ୍ୟ ସଂଗଠନ ଚୀନ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇନଥିଲା, ଯାହାକୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ବିରୋଧ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.