ହ୍ବାଇଟ୍‌ ହାଉସ୍‌ ମୋହ ଛାଡ଼ି ପାରୁନାହାନ୍ତି ଟ୍ରମ୍ପ, ସ୍ବାସ୍ଥ୍ୟ ଠିକ୍‌ ରହିଲେ ଲଢ଼ିବେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ !

Published By : Prameya-News7 Bureau | May 30, 2021 IST

ଓ୍ବାସିଂଟନ ୩୦/୫: ୨୦୨୦ରେ ଶୋଚନୀୟ ପରାଜୟ ପରେ ମଧ୍ୟ ହ୍ବାଇଟ୍‌ ହାଉସ୍‌ ମୋହ ଛାଡ଼ି ପାରୁନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ। ୨୦୨୪ ନିର୍ବାଚନରେ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ ଟ୍ରମ୍ପ।  ସ୍ବାସ୍ଥ୍ୟବସ୍ଥା ଭଲ ରହିଲେ ଟ୍ରମ୍ପ ଆଗାମୀ ନିର୍ବାଚନ ଲଢ଼ିବେ । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଚାଲିଛି।

କିଛି ଦିନ ପୂର୍ବରୁ ରୋନି ଜ୍ୟାକସନ୍‌ ଟ୍ରମ୍ପଙ୍କ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ସଙ୍କେତ ଦେଇଥିଲେ। ସେ କହିଥିଲେ, ‘ଟ୍ରମ୍ପ ପୁଣିଥରେ ନିର୍ବାଚନ ଲଢ଼ିବେ କହୁଛନ୍ତି । ପ୍ରକୃତରେ ସେ ଏହାକୁ ଦୃଢ଼ତାର ସହ ନେଇଛନ୍ତି। ବୋଧହୁଏ ​‌ସେ ଏହା କରିବେ । ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି।’ ଅନ୍ୟପଟେ ନିଜର ସ୍ବାସ୍ଥ୍ୟବସ୍ଥା ଠିକ ରଖିବାକୁ ଟ୍ରମ୍ପ ଜୋରଦାର କସରତ କରୁଥିବା ଜଣାପଡ଼ିଛି।

ପ୍ରତିଦିନ ସକାଳେ ଗଲ୍ଫ ଖେଳିବା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେଉଛନ୍ତି। ସେ ପାଖାପାଖି ୧୫ ପାଉଣ୍ଡ ଓଜନ କମାଇସାରିଛନ୍ତି। ନିର୍ବାଚନ ହାରିବା ପରେ ନିଜ ବାସଭବନକୁ ଫେରିବା ପରେ ଟ୍ରମ୍ପଙ୍କ ଠାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେ ନିଜର ପ୍ରିୟ ଖାଦ୍ୟ ଏମ ଆଣ୍ଡ ଏମ ମିଠା, ସ୍ନାକ୍ସ, ଏପରିକି ଡାଏଟ କୋକ୍‌ ପିଇବା ଛାଡ଼ି ସାରିଛନ୍ତି ଟ୍ରମ୍ପ।

କରୋନା ସଂକ୍ରମଣରୁ ସୁସ୍ଥ ହେବା ପରଠୁ ଟ୍ରମ୍ପ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି। ପୂର୍ବରୁ ଫୋକ୍ସ ନ୍ୟୁଜ୍‌କୁ ଟ୍ରମ୍ପ କହିଥିଲେ, ‘୨୦୨୪ ନିର୍ବାଚନରେ ଲଢ଼ିବାକୁ ଗୁରୁତର ସହ ନେଇଛି। ଏନେଇ ରିପବ୍ଲିକାନ୍‌ ପକ୍ଷରୁ ବଡ଼ ସମର୍ଥନ ପାଇବି ବୋଲି ଆଶା କରୁଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.