ରାଲିରେ ଟ୍ରମ୍ପଙ୍କ ମନ୍ତବ୍ୟ, ତୁମେ ତ କେବଳ ୧୫ ହଜାର, ଭାରତରେ ୧ ଲକ୍ଷ ଲୋକ ମୋର ସ୍ଵାଗତ କରିଥିଲେ

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୦୧। ୦୩- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତିଥ୍ୟକୁ ଭୁଲି ପାରି ନାହାନ୍ତି। ଏହି କ୍ରମରେ ଶନିବାର ଆମେରିକାରେ ଏକ ରାଲିରେ ଟ୍ରମ୍ପ କହିଛନ୍ତି ଏଠାରେ ତ କେବଳ ୧୫ ହଜାର ଲୋକ ଜୁଟିଛନ୍ତି, ଭାରତରେ ତ ମୋର ସ୍ଵାଗତରେ ଏକ ଲକ୍ଷରୁ ଅଧିକ ଲୋକ ଏକତ୍ର ହୋଇଥିଲେ।

ସାଉଥ କେରୋଲାଇନରେ ଶନିବାର ଏକ ରାଲିକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୋତେ ଏହା କହିବାରେ କୌଣସି ସଙ୍କୋଚ ନାହିଁ ଯେ ମୋର ସ୍ଵାଗତ ପାଇଁ ଭାରତରେ ଏକ ଲକ୍ଷ ୨୯ ହଜାର ଆସନ ବିଶିଷ୍ଟ ଷ୍ଟାଡିୟମରେ ଲୋକ ଏକତ୍ର ହୋଇଥିଲେ। କଣ ଆପଣମାନେ ଦେଖିଛନ୍ତି ? ପୂରା ଷ୍ଟାଡିୟମ ଭର୍ତ୍ତି ଥିଲା। ପ୍ରାୟ ଏକ ଲକ୍ଷ ଲୋକ ଜୁଟିଥିଲେ। ଏହା ଏକ କ୍ରିକେଟ୍ ଷ୍ଟାଡିୟମ ଥିଲା ଏବଂ ଏଠାରୁ ତିନି ଗୁଣ ବଡ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ, ମୋଦୀ ଜଣେ ମହାନ ବ୍ୟକ୍ତି, ଯାହାଙ୍କୁ ହିନ୍ଦୁସ୍ତାନର ଲୋକ ବହୁତ ଭଲ ପାଆନ୍ତି। ରାଲିରେ ଉପସ୍ଥିତ ଲୋକଙ୍କ ସଂଖ୍ୟାକୁ ନେଇ ସେ କହିଛନ୍ତି ଏଠାରେ ମଧ୍ୟ ଲୋକଙ୍କ ଭିଡ ଜମିଛି ଏବଂ ମୋତେ ଭିଡ ବିଷୟରେ କଥା ହେବାକୁ ଭଲ ଲାଗେ କାରଣ ମୋ ପାଇଁ ବଡ ସଂଖ୍ୟାରେ ଲୋକ ରାଲିକୁ ଆସିଥାନ୍ତି। ୫୦ ରୁ ୬୦ ହଜାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏହି ସ୍ଥାନରେ ୧୫ ହଜାର ଲୋକ ଜୁଟିଛନ୍ତି। ଭାରତରେ ଶତାଧିକ କୋଟି ଲୋକ ରହୁଛନ୍ତି ଏବଂ ଏଠାରେ ୧୫ କୋଟି ଲୋକ ବସବାସ କରୁଛନ୍ତି। ମୁଁ ଏହା କହିବାକୁ ଚାହୁଁଛି ଯେ, ଏଠାରେ ଉପସ୍ଥିତ ଭିଡ ଦେଖି ମୁଁ ଆନନ୍ଦିତ ଏବଂ ସେଠାକାର ଲୋକ ମଧ୍ୟ ମୋର ବହୁତ ପସନ୍ଦ।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପତ୍ନୀ ତଥା ଆମେରିକାର ପ୍ରଥମ  ମହିଳା ମେଲାନିଆ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତ ପୂରା କରି ଆମେରିକା ଫେରି ସାରିଛନ୍ତି। ଏହା ମଧ୍ୟରେ ମେଲାନିଆ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ସ୍ଵାଗତ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇ ପ୍ରଶଂସାଭରା ଟ୍ଵିଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.