COVID-19 ମହାମାରୀର ନୂଆ ନାମ କରଣ କଲେ ଟ୍ରମ୍ପ, କହିଲେ Kung-Flue
21/06/2020 at 4:11 PM

ୱାସିଂଟନ : ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣି ଥରେ ଚୀନ୍କୁ ଦାୟି କରିଛନ୍ତି ଓ ଭୂତାଣୁ ଯୋଗୁ ବ୍ୟାପୁଥିବା ରୋଗକୁ କୁଙ୍ଗ-ଫ୍ଲୁ ବୋଲି କହିଛନ୍ତି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ୪ଲକ୍ଷ ୬୭ ହଜାରରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ୮୯ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି।
ଗତବର୍ଷ ଡିସେମ୍ବର ମାସରେ ଚୀନ୍ ଉହାନ୍ରୁ ବ୍ୟାପିଥିବା କରୋନା ଭାଇରସ ମହମାରୀ ଲାଗି ଆମେରିକା ରାଷ୍ଟ୍ରପତି ବାରମ୍ବାର ଚୀନକୁ ଦାୟିକରି ଆସୁଛନ୍ତି। ଭୂତାଣୁ ଆଚରଣ ନେଇ ଚୀନ୍ ବାହ୍ୟଜଗତକୁ ସୂଚନା ଲୁଚାଇଥିଲା ବୋଲି ଟ୍ରମ୍ପ କହୁଛନ୍ତି। ଟ୍ରମ୍ଫଙ୍କ ପ୍ରଶାସନ ଭୂତାଣୁକୁ ଏହାର ଉତ୍ପତିସ୍ଥଳର ନାମାନୁସାରେ ଉହାନ ଭାଇରସ୍ ବୋଲି କହୁଛନ୍ତି। ଚଳିତବର୍ଷ ଜାନୁୟାରୀରେ ପ୍ରଥମ କରି ଆମେରିକାରେ ଉହାନ ଭାଇରସର ପ୍ରକୋପ ଅନୁଭୂତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସଂକ୍ରମଣ ଥମିବାର ନାଁ ନେଉନି।
କରୋନା ଭାଇରସ ମହମାରୀ ଯୋଗୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମଧ୍ୟ ବାଧିତ ହୋଇଛି। ତେବେ ଟ୍ରମ୍ପ ଶନିବାର ପ୍ରଥମ ଥର ଓକଲାହୋମାର ଟୁଲସାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ଟ୍ରମ୍ଫ କରୋନା ଭାଇରସର ଉତ୍ପତି ପରଠାରୁ ଏହାର ଏତେ ନାମକରଣ ହେଲାଣି ଯେ ତାର କଳନା ନାହିଁ ବୋଲି କହିଛନ୍ତି। ଏଣୁ ମୁଁ ଏହାକୁ କୁଙ୍ଗ-ଫ୍ଲୁ କହୁଛି ବୋଲି କହିଥିଲେ। ଯାହାକୁ ନେଇ ଉପସ୍ଥିତ ଜନସମାବେଶରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
କୁଙ୍ଗ-ଫ୍ଲୁ ଶବ୍ଦ ଚୀନର ପରମ୍ପରାଗତ ସାମରିକ କଳା କୁଙ୍ଗଫୁ ସହ ମେଳ ଖାଉଛି। ୱାର୍ଲଡୋମିଟର ଆକଳନ ଅନୁସାରେ ସାରା ବିଶ୍ୱରେ କରୋନା ଭାଇରସ ଯୋଗୁ ଆମେରିକା ଗୁରୁତର ପ୍ରଭାବିତ ଦେଶ। ଏଠାରେ ଏପର୍ଯ୍ୟନ୍ତ ୨୩ ଲକ୍ଷରୁ ଅଧିକ ମାମଲା ପୁଷ୍ଟି ହୋଇଥିବା ବେଳେ ୧ଲକ୍ଷ ୨୧ ହଜାରରୁ ବି ଅଧିକ ମୃତ୍ୟୁ ହେଲାଣି।