ହ୍ୱାଇଟ୍ ହାଉସ ଛାଡିବାକୁ ଟ୍ରମ୍ପ୍ ରାଜି, କିନ୍ତୁ ରଖିଲେ ଏହି ସର୍ତ୍ତ

Published By : Prameya-News7 Bureau | November 27, 2020 IST

ଓ୍ୱାଶିଂଟନ,୨୭/୧୧:    ଆମେରିକା ରାଷ୍ଟ୍ରପତି ନିର୍ବାଚନର ତିନି ମାସ ପରେ ବି ଡୋନାଲ୍ଡ ଟ୍ରମ୍ପ ନିଜ ଜିଦରେ ଅଟଳ ଅଛନ୍ତି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏବେ କିନ୍ତୁ ସେ ହ୍ୱାଇଟ୍ ହାଉସ ଛାଡିବା ନେଇ ସଙ୍କେତ ଦେଇଛନ୍ତି । ଥାଙ୍କସ୍ ଗିଭିଂ ହଲିଡେରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଟ୍ରମ୍ପ୍ କହିଛନ୍ତି ଯେ, ସେ ହ୍ୱାଇଟ୍ ହାଉସ ଛାଡିବା ପାଇଁ ପ୍ରସ୍ତୁତ । କିନ୍ତୁ ସେ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଯେ, ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଆସନ୍ତା ଜାନୁଆରୀରେ ଶପଥ ଗ୍ରହଣ କରିବେ ।

ଟ୍ରମ୍ପ୍ କହିଛନ୍ତି ଯେ, ଯଦି ଇଲେକ୍ଟୋରାଲ କଲେଜ ଔପଚାରିକ ଭାବେ ବାଇଡେନଙ୍କୁ ବିଜେତା ଘୋଷଣା କରେ ତେବେ  ସେ ହ୍ୱାଇଟ୍ ହାଉସରୁ ଚାଲିଯିବେ । କାରଣ ଟ୍ରମ୍ପ୍ ଲଗାତର ଭାବେ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି । ସେ କହିଛନ୍ତି ଯେ, ଏହା ମାନିବା ତାଙ୍କ ପକ୍ଷେ କଷ୍ଟକର ହେବ । କାରଣ ନିର୍ବାଚନ ଠିକ୍ ଭାବେ ହୋଇନାହିଁ ।

ଟ୍ରମ୍ପ କୋର୍ଟରେ ମଧ୍ୟ ଆମେରିକା ନିର୍ବାଚନକୁ ନେଇ ଆବେଦନ କରିଛନ୍ତି । ତେବେ ତାଙ୍କୁ କୋର୍ଟରୁ କୌଣସି ସଫଳତା ମିଳିବାର ଆଶା କମ ରହିଛି । ନିକଟରେ ପେନସିଲଭାନିଆର ସଙ୍ଘୀ. ନ୍ୟାୟାଳୟ ଟ୍ରମ୍ପଙ୍କ ମୋକଦ୍ଦମାକୁ ଖାରଜ କରିଦେଇଥିଲେ । ଆମେରିକାରେ ଜଣେ ବ୍ୟକ୍ତି ସେତେବେଳେ ରାଷ୍ଟ୍ରପତି ହୋଇପାରିବ ଯାହା ପାଖରେ ସର୍ବାଧିକ ଇଲେକ୍ଟୋରାଲ ଭୋଟ୍ ଥିବ । ଏଠାରେ ନ୍ୟାଶନାଲ ପପ୍ୟୁଲାର ଭୋଟ୍ ତୁଳନାରେ ଇଲେକ୍ଟୋରାଲ ଭୋଟ୍ ଗୁରୁତ୍ୱପୂର୍ଣ୍ଣ ।

ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ୍ ସହ ନିର୍ବାଚନ ଜିତିଥିଲେ । ଏହା ବ୍ୟତୀତ ଟ୍ରମ୍ପଙ୍କଠାରୁ ବାଇଡେନଙ୍କୁ ୬୦ ଲକ୍ଷ ପପ୍ୟୁଲାର ଭୋଟ୍ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.