ଟ୍ରମ୍ପଙ୍କୁ ଜିତିବାରେ ସାହାଯ୍ୟ କରିଥିଲେ ପୁଟିନ୍, ମସ୍କୋ ଗୁଇନ୍ଦାଙ୍କୁ ନିଜେ ଦେଇଥିଲେ ମୌଖିକ ନିର୍ଦ୍ଦେଶ : ଦସ୍ତାବିଜରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଏବେ କ'ଣ କରିବେ ବାଇଡେନ୍

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ,୧୬/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ନୁହେଁ । ସେ ମାନସିକ ସନ୍ତୁଳନ ହରାଇଛନ୍ତି । ଏପରିକି ମାନସିକ ରୋଗରେ ଆକ୍ରାନ୍ତ ଟ୍ରମ୍ପ। ଏନେଇ ଦି ଗାର୍ଡିଆନର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି  । ଏହି ରିପୋର୍ଟ କ୍ରେମଲିନ୍ ଡକ୍ୟୁମେଣ୍ଟ୍ ଆଧାରରେ ପ୍ରକାଶିତ ହୋଇଛି ।  ଲିକ୍ ହୋଇଥିବା ଡକ୍ୟୁମେଣ୍ଟ୍ ବା ଦସ୍ତାବିଜକୁ ସତ ବୋଲି ଅନେକ ବିଶେଷଜ୍ଞ କହିଥିବା ଦି ଗାର୍ଡିଆନ କହିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୬ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିଲେ । ଆମେରିକାର ଗୁଇନ୍ଦା ବିଭାଗ ମଧ୍ୟ ଏହା ଜାଣିଥିଲା । ପୁଟିନ, ଋଷର ଗୁଇନ୍ଦା ମୁଖ୍ୟ, ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ୨୦୧୬ରେ ପରସ୍ପର ସହ ଭେଟିଥିଲେ । ଟ୍ରମ୍ପ ହିଁ ଆମେରିକାର ରାଷ୍ଟ୍ରପତି ହେଲେ  ଭଲ ହେବେ ବୋଲି ସେମାନେ କହିଥିଲେ । ଏପରିକି ଟ୍ରମ୍ପଙ୍କ ବିଜୟ ଆମେରିକାର ସାମାଜିକ ରାଜନୈତିକ ପ୍ରଣାଳୀରେ ଅସ୍ଥିରତା ସୃଷ୍ଟି କରିବ ବୋଲି ସେମାନେ ଜାଣିଥିଲେ । ଏହି ଅଧିକାରୀଙ୍କ ସାକ୍ଷାତବେଳର ଏକ ଫଟୋ ମଧ୍ୟ ଲିକ୍ ହୋଇଛି ।

ସେହିପରି ଆଉ ଏକ ରିପୋର୍ଟରେ ଆହୁରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଟ୍ରମ୍ପଙ୍କ ବିଜୟରେ ଋଷ ସବୁ ଶକ୍ତି ଖଟାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ୨୦୧୭ରେ ଋଷର ହସ୍ତକ୍ଷେପ ବାବଦରେ ୟୁଏସ ଗୁଇନ୍ଦା ବିଭାଗ ଜାଣିଥିଲା । ଏହାସହ ହିଲାରି କ୍ଲିଣ୍ଟନଙ୍କ ପ୍ରଚାର ବେଳେ ଇମେଲ ହ୍ୟାକ୍ ଆଦିରେ ସହାୟତା କରିଥିଲା ଋଷ । ଏପରି ଭାବେ ୩୯ଟି ରାଜ୍ୟରେ ଋଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ ମଧ୍ୟ କରିଥିଲା ବୋଲି ଏଥିରେ ଦର୍ଶାଯାଇଛି ।

ଦି ଗାର୍ଡିଆନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଟ୍ରମ୍ପ ମଧ୍ୟ ଋଷ ନିର୍ବାଚନରେ ହସ୍ତକ୍ଷେପ କରୁଥିଲେ । ଏପରିକି ଆର୍ଥିକ ସହାୟତା କରିଛନ୍ତି । ତେବେ ଜୋ ବାଇଡେନ୍ ଋଷ୍ ପ୍ରତି କଡା ଆଭିମୁଖ୍ୟ ପୋଷଣ କରିଥିଲେ । ଋଷର ଅନେକ ସଂସ୍ଥାକୁ ଦିଆଯାଉଥିବା ସହାୟତା ରାଶିକୁ ବନ୍ଦ କରିଦେଇଥିଲେ । ଆହୁରି ମଧ୍ୟ ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ନଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ଘଟଣାକୁ ନେଇ ଜନ୍ ହପକିଙ୍ଗସ୍ ୟୁନିଭର୍ସିଟିର ବିଶେଷଜ୍ଞ ଥୋମାସ୍ ରିଡ୍ କହିଛନ୍ତି ଯେ, ତଥ୍ୟ କେତେ ସଦ ସେନେଇ ତଦନ୍ତ ହେବା ଆବଶ୍ୟକ । ଏହି ରିପୋର୍ଟ କ୍ରେମଲିନରୁ ଲିକ୍ ହୋଇଛି । ଯାହା ଗାର୍ଡିଆନରେ ପ୍ରକାଶ ପାଇଛି । ତଥ୍ୟରେ କିଛି ଜାଲିଆତି ମଧ୍ୟ ହୋଇଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏତତ୍ ବ୍ୟତୀତ ଆମେରିକାର ସାଇବର୍ ସିକ୍ୟୁରିଟି ଅଧିକାରୀ କ୍ରିସ୍ କ୍ରେବିସ୍ ମଧ୍ୟ ରିଡଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ଏହା ସତ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ମିଛ ହୋଇପାରେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.