ଟ୍ରମ୍ପ୍ ଏବେ ଗୁମସୁମ୍, ଚୁପଚାପ୍ ହ୍ୱାଇଟ୍ ହ୍ୱାଉସରେ ବସିଛନ୍ତି, ନିଜ ଭବିଷ୍ୟତ ବିଷୟରେ କିଛି ବି କହିବାକୁ ନାରାଜ
18/12/2020 at 3:54 PM

ନ୍ୟୁୟର୍କ, ୧୮|୧୨ : ରାଷ୍ଟ୍ରପତି ନିର୍ବାଚନରେ ସାମ୍ନା କରିଥିବା ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଏବେ କେବଳ ଗୋଟିଏ କୋଠରୀରେ ଚୁପଚାପ୍ ବସୁଛନ୍ତି । ବାହାରକୁ କୁଆଡେ ଯାଉ ନାହାଁନ୍ତି । କିମ୍ବା କାହା ସହ ସେତେଟା କଥା ମଧ୍ୟ ହେଉନାହାଁନ୍ତି । ଏକ ଗୁମ୍ଫାରେ ପସିଲା ଭଳି ସେ ରହିଛନ୍ତି । ଏନେଇ ହ୍ୱାଇଟ ହାଉସର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।
ନିର୍ବାଚନ ହାରିବା ପରେ ବି ଟ୍ରମ୍ପ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଚାରିଆଡୁ ନିରାଶ ହୋଇଥିଲେ ଟ୍ରମ୍ପ । କୋର୍ଟରେ ମଧ୍ୟ ଆବେଦନ ଖାରଜ ହୋଇଥିଲା । ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଜୋ ବିଡେନ୍ । ସେ ଜାନୁଆରୀରେ ନିଜର ଦାୟିତ୍ୱ ନେବେ ।
ପିପୁଲ୍ ମାଗାଜିନର ରିପୋର୍ଟ ଅନୁସାରେ, ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫ୍ଲୋରିଡା ଚାଲିଯିବେ ବୋଲି ସୂଚନା ମିଳିଛି । ସେଠାରେ ପୁଅ ବାରୋନଙ୍କ ସହ ଏକ ସ୍କୁଲରେ ରହିପାରନ୍ତି । ସେହିପରି ହ୍ୱାଇଟ ହାଉସର ଅନ୍ୟ କର୍ମଚାରୀ ମଧ୍ୟ ନୂଆ ଚାକିରୀ ସନ୍ଧାନରେ ଲାଗିଲେଣି ।
ସୂତ୍ରାନୁସାରେ, ଟ୍ରମ୍ପ ନିଜର ଭବିଷ୍ୟତକୁ ନେଇ ଆଉ କାହା ସହ ଆଲୋଚନା କରୁନାହାଁନ୍ତି । ୨୦୨୪ ନିର୍ବାଚନରେ ସେ ଲଢିବେ ନା ନାହିଁ ସେନେଇ ମଧ୍ୟ କିଛି କହୁନାହାଁନ୍ତି । ପୂର୍ବରୁ ସେ ସାଧାରଣ ଜନତାଙ୍କ ସହ ମିଶୁଥିଲେ । ଲଗାତର ଟ୍ୱିଟ୍ ମଧ୍ୟ କରୁଥିଲେ । ଏବେ ଆଗଭଳି ଆଉ ଟ୍ୱିଟ୍ କରୁନାହାଁନ୍ତି । ନିକଟରେ ଆସିଥିବା କମ୍ପ୍ୟୁଟର୍ ହ୍ୟାକିଂ ମାମଲାରେ ସେ ସେପରି କିଛି ପ୍ରତିକ୍ରିୟା ରଖିନଥିଲେ । କେବଳ ଭାକସିନ୍ ବିତରଣ ସମ୍ପର୍କରେ ସେ ଉପ ରାଷ୍ଟ୍ରପତି ମାଇକ୍ ପେନ୍ସ ଓ ଚିଫ୍ ଅଫ୍ ଷ୍ଟାପ୍ ମାର୍କ ମେଡୋସଙ୍କ ସହ ହିଁ ଆଲୋଚନା କରୁଛନ୍ତି ।