Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଷ୍ଟ୍ରପତିଙ୍କ ଟ୍ରେନ ଯିବା ପୂର୍ବରୁ ଟ୍ରାକରେ ଫସିଗଲା ଟ୍ରକ, ଅଟକିଗଲା ଅଧିକାରୀଙ୍କ ନିଃଶ୍ଵାସ

28/06/2021 at 9:00 PM

କାନପୁର ୨୮।୦୬: କାନପୁରରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବାର ଥିଲା ରାଷ୍ଟ୍ରପତିଙ୍କ ଟ୍ରେନ। ହେଲେ ଏହାର ଏକ ଘଣ୍ଟା ପୂର୍ବରୁ ଉନ୍ନାଓରେ ଜୈତିପୁର ରେଲଓ୍ଵେ କ୍ରସିଂରେ ସୋମବାର ସକାଳେ ଏକ ଟ୍ରକ ଫସିଗଲା। ଚାରିଆଡେ ଚହଳ ପଡିଗଲା। କାରଣ ସେହି ରୁଟ୍‌ ଦେଇ ଯାତ୍ରା କରିବାର ଥିଲା ରାଷ୍ଟ୍ରପତିଙ୍କ ପ୍ରେସିଡେନସିଆଲ ଟ୍ରେନ୍। ରେଳ ବିଭାଗଠୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଟ୍ରକକୁ  ହଟାଇବା ପାଇଁ ସମସ୍ତ ଶକ୍ତି ଖଟାଇ ଦେଲେ।

ପୋଲିସର ଯବାନ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଟ୍ରକକୁ ବହୁ  କଷ୍ଟରେ କ୍ରସିଂରୁ ହଟାଗଲା। ଟ୍ରକ ହଟିବା ପରେ ପ୍ରଶାସନିକ ଅଫିସର ଓ ରେଲଓ୍ଵେ ଅଧିକାରୀଙ୍କ ଦେହରେ ଜୀବନ ଆସିଥିଲା। ସେମାନେ ଶାନ୍ତିରେ ନିଃଶ୍ଵାସ ମାରିଥିଲେ। କିନ୍ତୁ ଟ୍ରକ ଫସିବାରୁ ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା କରିବାରେ କୌଣସି ବାଧା ଉପୁଜିନଥିଲା। ରାଷ୍ଟ୍ରପତିଙ୍କ ଟ୍ରେନ ୧୯ ମିନିଟ୍ ବିଳମ୍ବରେ ଯାଇଥିଲା।

ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିବାରୁ ସୋମବାର ସକାଳେ କାନପୁର-ଲକ୍ଷ୍ନୌ ମଧ୍ୟରେ ପଡୁଥିବା ସମସ୍ତ ରେଲଓ୍ଵେ ଷ୍ଟେସନର ବ୍ୟବସ୍ଥା ତଦାରଖ କରାଯାଇଥିଲା। ପ୍ରତିଟି ଷ୍ଟେସନ, ରେଲଓ୍ଵେ କ୍ରସିଂ, ଓଭର ବ୍ରିଜ ଓ ଫୁଟ୍ ଓଭର ବ୍ରିଜ୍‌ରେ ଜିଆରପି, ଆରପିଏଫ ବ୍ୟତୀତ ପୋଲିସ କର୍ମଚାରୀ ସଜାଗ ରହିଥିଲେ। ହେଲେ ସକାଳ ୯ଟା ୩୦ରେ ମୋରମରେ ଓଭରଲୋଡ୍ ଥିବା ଟ୍ରକ ଖରାପ ହେବାରୁ ଜୈତିପୁର ରେଲଓ୍ଵେ କ୍ରସିଂ ନମ୍ବର ୧୬ ଅତିକ୍ରମ କରିବା ବେଳେ ଫସି ଯାଇଥିଲା। ଟ୍ରାକ ଉପରେ ଟ୍ରକ ଫସି ଯିବା ଖବର ଶୁଣି ପୋଲିସ ଓ ପ୍ରଶାସନ ମହଲରେ ଚହଳି ପଡି  ଯାଇଥିଲା। ଅଧିକାରୀଙ୍କ ନିଦ ହଜି ଯାଇଥିଲା।

ସୂଚନା ମିଳିବା ମାତ୍ରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର, ଏସପି ଆନନ୍ଦ କୁଲକର୍ଣ୍ଣୀ ଓ ଏସଏସପି ଶଶି ଶେଖର ସକ୍ରିୟ ହୋଇ ଉଠିଥିଲେ। ଅଫିସରଙ୍କ ନିର୍ଦ୍ଦେଶକ୍ରମେ ଜିଆରପି, ଆରପିଏଫ ଓ ଅସୋହା ଇନ୍ସପେକ୍ଟର ରାଜୁ ରାଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରମିକଙ୍କ ସାହାଯ୍ୟରେ ଟ୍ରକରୁ ପ୍ରଥମେ ମୋରମ ଖାଲି କରାଯାଇଥିଲା। ଏହା ପରେ ଟ୍ରାକ୍ଟର ଜରିଆରେ ଟ୍ରକକୁ ବହୁ କଷ୍ଟରେ ଟ୍ରାକ ଉପରୁ ହଟାଯାଇଥିଲା। ଏହି ସମୟରେ କିଛି ସମୟ ପାଇଁ କୁସୁମ୍ଭି ରେଲଓ୍ଵେ ଷ୍ଟେସନରେ ଆଡଭାନ୍ସ ପାଇଲଟ୍ ଇଞ୍ଜିନ ଅଟକି ରହିଥିଲା।

୧୯ ମିନିଟ୍ ବିଳମ୍ବରେ ଗଲା ରାଷ୍ଟ୍ରପତିଙ୍କ ଟ୍ରେନ

କାନପୁରରୁ ଲକ୍ଷ୍ନୌ ଯିବାକୁ ନିର୍ଦ୍ଧାରିତ ସମୟର ୧୯ ବିଳମ୍ବରେ ରାଷ୍ଟ୍ରପତିଙ୍କ ଟ୍ରେନ ଉନ୍ନାଓ ଷ୍ଟ୍ରେସନରୁ ବାହାରିଥିଲା। ଫଳରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଆଡଭାନ୍ସ ପାଇଲଟ୍ ଇଞ୍ଜିନ ୧୦ଟା୫ ବଦଳରେ ୧୦ଟା୨୫ ଓ ପ୍ରେସିଡେନ୍ସିଆଲ ସ୍ପେଶାଲ ଟ୍ରେନ ୧୦ଟା ୨୯ ପରିବର୍ତ୍ତେ ୧୦ଟା ୪୮ ଏବଂ ବ୍ୟାକଅପ୍ ଟ୍ରେନ ୧୦ଟା ୩୫ ବଦଳରେ ୧୦ଟା ୫୮ରେ ଉନ୍ନାଓ ଷ୍ଟେସନରୁ ବାହାରିଥିଲା।

   Related Posts