ଜୋର ଶବ୍ଦରେ ଭାଙ୍ଗିଗଲା ଘରଲୋକଙ୍କ ନିଦ: ଆଖି ଖୋଲି ଦେଖିଲା ବେଳେ ବେଡରୁମରେ ଛିଡା ହୋଇଥିଲା ଟ୍ରକ

Published By : Prameya-News7 Bureau | January 16, 2021 IST

ପାନିପତ ୧୬/୦୧ : ହରିୟାଣା ପାଣିପତରେ ଏକ ଅଜବ ଘଟଣା ଘଟିଛି। ହରିୟାଣାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ନଗଲା ଗାଁରେ ସକାଳୁ ସକାଳୁ ଏକ ଦୁର୍ଘଟଣା ଘଟିଛି। ରାଜବିର ସିଂହ ସକାଳ ସାଢେ ୬ଟା ସମୟରେ ପତ୍ନୀ ସୁମନ ଓ ନିଜ ପିଲାଙ୍କ ସହ ଘରେ ଶୋଇଥିଲେ। ହଠାତ ଭୀଷଣ ଜୋରରେ ଏକ ଶବ୍ଦ ହୋଇଥିଲା। ଶବ୍ଦରେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା। ଆଖି ଖୋଲିଲାବେଳେ ଘର ଲୋକ ଦେଖିଲେ ଘର ଭିତରେ ଏକ ଟ୍ରକ ଛିଡା ହୋଇଛି। ଦୁର୍ଘଟଣାରେ ମହିଳା ଗମ୍ଭୀର ଆହତ ହୋଇଛନ୍ତି। 

ସକାଳୁ ଟ୍ରକ ଘରକୁ ଧକ୍କା ଦେବାପରେ ସେଠାରେ ଅଟକି ଯାଇଥିଲା। ଟ୍ରକ ଧକ୍କା ଫଳରେ ବେଡରୁମର ଲେଣ୍ଟର ଭାଙ୍ଗି ଯାଇଛି। ନିକଟସ୍ଥ ଲୋକ କହିଛନ୍ତି ଯେ ଟ୍ରକ ଘର କାନ୍ଥକୁ ଧକ୍କା ଦେବାପରେ ବହୁତ ଜୋରରେ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ପରିବାର ଲୋକଙ୍କ ସହ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଦୁର୍ଘଟଣାରେ ରାଜବିର ସିଂହଙ୍କ ପତ୍ନୀଙ୍କ ମୁଣ୍ଡରେ ଆଘାତ ଲାଗିଛି।

ପଡୋଶୀ ତୁରନ୍ତ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାଜବିରଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଂଚିବା ପୂର୍ବରୁ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଟ୍ରକ ଚାଳକକୁ ଖୋଜୁଛି।

ପୋଲିସ ସୂଚନା ଅନୁଯାୟୀ, ଟ୍ରକ ଚାଳକ ସଦରପୁର ଗାଁରୁ ବାଲି ନେବାକୁ ଯମୁନାନଗର ଗାଁକୁ ଯାଉଥିଲା। ଟ୍ରକ ଦ୍ରୁତ ଗତିରେ ଯାଉଥିବା ଆଖପାଖ ଲୋକ କହିଛନ୍ତି। ଫଳରେ ନିୟନ୍ତ୍ରଣ ହରାଇ ରାଜବିରଙ୍କ ଘର କାନ୍ଥ ଭାଙ୍ଗି ତାଙ୍କ ବେଡରୁମରେ ପଶି ଯାଇଥିଲା। ଟ୍ରକକୁ କ୍ରେନ ମାଧ୍ୟମରେ ହଟାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.