ଏନଏଚ ୬୦ ଟ୍ରକ୍ ଲୁଟ୍, ବେହୋସ ଅବସ୍ଥାରେ ଡ୍ରାଇଭର ଓ ହେଲପର ଉଦ୍ଧାର
3/03/2021 at 2:42 PM

ଜଳେଶ୍ବର ୩।୩ (ପ୍ରମେୟ): ଲୁଟେରାଙ୍କ କବ୍ଜାରେ ଜଳେଶ୍ବର ଏନଏଚ ୬୦ । ପୁଣି ଜଳେଶ୍ବରରେ ଟ୍ରକ୍ ହାଇଜାକ୍ । ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କୁ ସଜ୍ଞାହୀନ ଅବସ୍ଥାରେ ଜାତୀୟ ରାଜପଥ ଏନଏଚ ୬୦ ପାର୍ଶ୍ବରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁଯାୟୀ ଜଳେଶ୍ବର ଥାନା ଅନ୍ତର୍ଗତ ଏନଏଚ ୬୦ ଏକତାଳି ନିକଟରେ ବୁଧବାର ପ୍ରାୟ ୯ଟା ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା । ସେମାନେ ଜୀବିତ ଥିବା ଜାଣି ସ୍ଥାନୀୟ ଲୋକମାନେ ସ୍ଥାନୀୟ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ୧୦୮ ଯୋଗେ ପଠାଇଥିଲେ । ଓଡିଶାରୁ ପଶ୍ଚିମବଙ୍ଗ ଯିବା ସମୟରେ ଟ୍ରକକୁ ହାଇଯାକ କରାଯାଇଥିବା ସୂଚନା ମିଳିଛି । ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ଝାଡଖଣ୍ଡ ଅସଲମ ଅନସାରୀ ଓ ଇସଗାନ୍ ଅନସାରୀ ବୋଲି ଜଣାପଡିଛି । ଏନେଇ ଜଳେଶ୍ବର ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।