ପୁଣି ମୋଟା ଅଙ୍କର ତଣ୍ଡ ଗଣିଲେ ଟ୍ରକ୍ ଡ୍ରାଇଭର, ଓଭରଲୋଡିଂ ପାଇଁ କଟିଲା ୧.୪୧ ଲକ୍ଷ ଟଙ୍କାର ଚାଲାଣ

Published By : Prameya-News7 Bureau | September 11, 2019 IST

ଦିଲ୍ଲୀ ୧୧।୯: ଓଭରଲୋଡିଂ ଏବଂ ଅନ୍ୟ ଟ୍ରାଫିକ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଗତ ୫ତାରିଖରେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୧.୪୧ ଲକ୍ଷ ଟଙ୍କା ଚାଲାଣ କଟାଯାଇଥିଲା । ଜରିମନା ରାଶି ପୈଠ କରିବା ପରେ ସେପ୍ଟେମ୍ବର ୧୦ତାରିଖରେ ଦିଲ୍ଲୀର ଏକ କୋର୍ଟ ଉକ୍ତ ଟ୍ରକଟିକୁ ଛାଡିଦେଇଛି ।

ସୂଚନାଯୋଗ୍ୟ ଯେ, ଟ୍ରକ୍ ଟି ଜଣେ ଗ୍ରାହକଙ୍କୁ ସେପ୍ଟେମ୍ବର ୫ତାରିଖରେ ବାଲି ଦେବା ପାଇଁ ଯିବାବେଳେ ଟ୍ରାଫିକ୍ ପୋଲିସ ସେହି ସମୟରେ ଟ୍ରକଟିର ଚାଲାଣ କାଟିଥିଲେ । ୧.୪୧ ଟଙ୍କାର ଚାଲାଣ କଟାଯାଇଥିଲା । ଯାହା ଫଳରେ ଟ୍ରକି ମାଲିକଙ୍କୁ ଉକ୍ତ ରାଶି ଯୋଗାଡ କରିବାକୁ ୫ଦିନ ସମୟ ଲାଗିଥିଲା । ଜରିମନା ରାଶି ପୈଠ କରିବା ପରେ ହିଁ ମାଲିକଙ୍କୁ ତାଙ୍କ ଟ୍ରକ୍ ଫେରାଯାଇଥିଲା ।

ଏହା ହେଉଛି ଦେଶର ସବୁଠୁ ବଡ ଜରିମନା ବୋଲି ସାଧାରଣରେ କୁହାଯାଉଛି । ଏହା ପୂର୍ବରୁ ଓଡିଶାର ରାୟଗଡାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୮୬୫୦୦ଟଙ୍କାର ଚାଲାଣ କଟାଯାଇଥିଲା ।

ଟ୍ରାଫିକ୍ ପୋଲିସ ପ୍ରଥମେ ଏକ ଟନ୍ ରୁ ଅଧିକ ଲୋଡିଂ ହୋଇଥିବାରୁ ୨୦,୦୦୦ଟଙ୍କାର ଜରିମନା ଲଗାଇଥିଲେ । ଏହାପରେ ଏକ ଟନ୍ ରୁ ଅଧିକ ପ୍ରତି ଟନ୍ ପାଇଁ ୨୦୦୦ ଟଙ୍କା ଜରିମନା ଲଗାଇଥିଲେ । ଏହିଭଳି କେବଳ ଓଭରଲୋଡିଂ ପାଇଁ ୪୮,୦୦୦ ଟଙ୍କାର ଜରିମନା ଲଗାଯାଇଥିଲା । ଏହା ବ୍ୟତୀତ ଆରସି ଏବଂ ପରମିଟ୍ ପାଇଁ ୧୦୦୦୦ ଲେଖାଏଁ ଜରିମନା ଲଗାଯାଇଥିଲା । ଏହି ଜରିମନା ରାଶି ଟ୍ରକ୍ ମାଲିକଙ୍କ ଉପରେ ମଧ୍ୟ ଲଗାଯାଇଥିଲା ।

ଗତ ଜୁଲାଇ ମାସରେ ସରକାର ଟ୍ରାଫିକ୍ ନିୟମକୁ ଅଧିକ ଶକ୍ତିଶାଳୀ କରିବାକୁ ମୋଟରଯାନ ସଂଶୋଧନ ଆକ୍ଟ ୨୦୧୯ ପାରିତ କରିଥିଲେ । ଯାହା ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଛି । ଯାହା ଫଳରେ ଆଇନ ଉଂଲଘନ କଲେ ୧୦ଗୁଣ ଅଧିକ ଜରିମନା ଦେବାକୁ ପଡୁଛି । ସରକାରଙ୍କ କହିବା ଅନୁସାରେ ଏହି ଆଇନ ଲାଗିହେବା ଫଳରେ ରୋଡ୍ ସୁରକ୍ଷା ବ୍ୟବସ୍ଥା ସୁଧୁରିବ । ମୋଟା ଅଙ୍କର ଜରିମନା ଦେବା ଡରରେ ଲୋକମାନେ ଟ୍ରାଫିକ୍ ନିୟମକୁ ନେଇ ସଚେତନ ହେବେ ।

ଅନ୍ୟପଟେ ରାଜସ୍ଥାନରେ ସଂଶୋଧିତ ମୋଟକଯାନ ଆକ୍ଟ ଲାଗୁ ହୋଇନାହିଁ । ରାଜସ୍ଥାନ ସରକାର ଏବେବି ଏହି ଆକ୍ଟ ଅନୁଯାୟୀ ଲଗାଯାଉଥିବା ଜରିମନା ଉପରେ ବିଚାର ବିମର୍ଷ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.