ଓଭରଟେକ୍‌ରୁ ହେଲା ଝଗଡା, ଟ୍ରକ୍ ଡ୍ରାଇଭରଙ୍କୁ ଲୁଣା ବ୍ରିଜରୁ ଠେଲିଦେଲେ ସାଥୀ ଡ୍ରାଇଭର

Published By : Prameya-News7 Bureau | October 16, 2020 IST

ମାର୍ଶାଘାଇ ୧୬।୧୦: ଓଭରଟେକ୍‍ କରିବାକୁ ନେଇ ଟ୍ରକ୍‍ ଡ୍ରାଇଭର ପ୍ରତିବାଦ କରିବାରୁ ହେଲା ଝଗଡା । ଗାଡିରୁ ଓହ୍ଲାଇ ଝଗଡା କରୁଥିବା ବେଳେ ବ୍ରିଜ୍‌ ଉପରୁ ପ୍ରତିବାଦକାରୀ ଡ୍ରାଇଭରକୁ ଲୁଣା ନଦୀକୁ ଠେଲିଦେଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିଜ ଜୀବନ ବଞ୍ଚାଇ ପାରିଥିଲେ ଡ୍ରାଇଭର । ନଦୀରୁ ଉଦ୍ଧାର ହୋଇଥିବା ଡ୍ରାଇଭର ହେଲେ ଗଞ୍ଜାମ ଜିଲ୍ଲାର ଶରତ ନାୟକ ।

ସୂଚନାଯୋଗ୍ୟ ଯେ, ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବ୍ରିଜ୍‌ ଉପରେ ଗୋଟିଏ ଆଇରନ୍‍ ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ଓଭରଟେକ୍‍ କରିବାରୁ ଉଭୟ ଡ୍ରାଇଭରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ବିରକ୍ତ ହୋଇ ଶରତ ନାୟକ ନାମକ ଏକ ଡ୍ରାଇଭରଙ୍କୁ ଅନ୍ୟ ଡ୍ରାଇଭରମାନେ ଲୁଣା ବ୍ରିଜରୁ ପାଣିକୁ ଠେଲି ଦେଇଥିଲେ । ଶରତଙ୍କୁ ଭଗବାନ ସାହା ହେବାଭଳି ସେ ପହଁରି ପୋଲଠାରୁ ପ୍ରାୟ ୩୦୦ ମିଟର ଦୂରରେ ନଦୀ ମଧ୍ୟରେ ଥିବା ବାଲିକୁଦରେ କୂଳରେ ଭାସି ଭାସି ଯାଇ ଅଟକି ଥିଲେ । ପାଖରେ ରେଳ ଲାଇନର ବ୍ରିଜରେ ସିକୁରିଟି ଡ୍ୟୁଟି କରୁଥିବା ଲୋକଙ୍କୁ ଦେଖି ତାଳିମାରି ଡାକ ପକାଇଥିଲେ । ଉଦ୍ଧାର ପାଇଁ ଲୋକଟି ଡାକୁଥିବା ଶୁଣି କୁସୁନପୁରର ପବିତ୍ର ସାହୁ ତାଙ୍କ ଗ୍ରାମର ଡଙ୍ଗାବାଲା ମନୋଜ ନାୟକଙ୍କୁ ଫୋନ କରି ଉଦ୍ଧାର କରିବା ପାଇଁ ଡାକିଥିଲେ । ଉଦ୍ଧାର ପରେ ଭୟଭୀତ ଥିବା ଡ୍ରାଇଭର ଜଣକ କିଛି ସମୟ ବିଶ୍ରାମ ନେଇ ନିଜ ଗାଡି ନେଇ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.